ଅଭିନେତା ସଲିମ କୁମାରଙ୍କ ପରଲୋକ
ନୂଆଦିଲ୍ଲୀ : ଜାତୀୟ ପୁରସ୍କାର ବିଜେତା ଅଭିନେତା ସଲିମ୍ କୁମାରଙ୍କର ଶନିବାର ରାତିରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ସଲିମ୍ କୁମାର ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବାବେଳେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି। ସଲିମ୍ କୁମାରଙ୍କ ପରଲୋକରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି। ରାଜନେତା, ଫିଲ୍ମ ତାରକା ଓ ପ୍ରଶଂସକମାନେ ଶୋକବ୍ୟକ୍ତ କରିଛନ୍ତି। ସଲିମ କୁମାରଙ୍କର ଗତ ରାତିରେ ପରଲୋକ ଘଟିଥିବାବେଳେ ରବିବାର କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲାର ନର୍ଥ ପାରାଭୁର୍ରେ ତାଙ୍କ ବାସଭବନ ପରିସରରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଲିମଙ୍କ ପରଲୋକ ଘଟଣାରେ ଶୋକବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଶୋକବାର୍ତ୍ତାରେ ସଲିମ କୁମାରଙ୍କୁ ତାଙ୍କର ଅନନ୍ୟ କ୍ୟାରିଅରରେ ସେ ବିଭିନ୍ନ ଭୂମିକାରେ ନିଜର ବହୁମୁଖୀ ପ୍ରତିଭା ଓ ସ୍ମରଣୀୟ ଅଭିନୟ ମାଧ୍ୟମରେ ଏକ ଛାପ ଛାଡ଼ିଥିଲେ ବୋଲି ବର୍ଣ୍ଣନା କରିଛନ୍ତି। ସଲିମଙ୍କ ପରିବାର ଓ ପ୍ରଶଂସକଙ୍କୁ ସମବେଦନା ଜଣାଇଛନ୍ତି।



