ମଧ୍ୟପ୍ରଦେଶ ଭୋଟର ତାଲିକାରେ ଯୋଡ଼ିହେଲେ ୮.୧୯ ଲକ୍ଷ ନୂଆ ଭୋଟର, ମୋଟ ସଂଖ୍ୟା ୫.୪୮ କୋଟି
ଭୋପାଳ: ୨୦୨୮ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶର ଭୋଟର ତାଲିକାରେ ଯୋଡ଼ି ହୋଇଛନ୍ତି ଆଉ ୮.୧୯ ଲକ୍ଷ ନୂଆ ଭୋଟର। ନିର୍ବାଚନ ଆୟୋଗ ପକ୍ଷରୁ ପ୍ରକାଶିତ ୨୦୨୭ର ଚିଠା ଭୋଟର ତାଲିକା ଅନୁଯାୟୀ, ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ପ୍ରାୟ ୫.୪୮ କୋଟିରେ ପହଞ୍ଚିଛି। ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ସର୍ବାଧିକ ବୃଦ୍ଧି ପାଇଛି। ଗତ ଗୁରୁବାର ପ୍ରକାଶିତ ଏହି ଚିଠା ତାଲିକାରେ ଫେବ୍ରୁଆରିରେ ପ୍ରକାଶିତ ଚୂଡ଼ାନ୍ତ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ତାଲିକା ତୁଳନାରେ ୪ ଲକ୍ଷ ୩୮ ହଜାର ୩୬୧ ଜଣ ମହିଳା, ୩ ଲକ୍ଷ ୮୦ ହଜାର ୧୬୯ ଜଣ ପୁରୁଷ ଏବଂ ୩୩ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଧିକ ରହିଛନ୍ତି। ନୂଆ ତାଲିକା ଅନୁଯାୟୀ, ମଧ୍ୟପ୍ରଦେଶରେ ମୋଟ ୫ କୋଟି ୪୭ ଲକ୍ଷ ୯୯ ହଜାର ୬୨୮ ଜଣ ପଞ୍ଜୀକୃତ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୨ କୋଟି ୮୨ ଲକ୍ଷ ୮୫ ହଜାର ୧୪୪ ଜଣ ପୁରୁଷ, ୨ କୋଟି ୬୫ ଲକ୍ଷ ୧୩ ହଜାର ୫୪୭ ଜଣ ମହିଳା ଏବଂ ୯୩୭ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ଫେବ୍ରୁଆରିର ତାଲିକାରେ ମୋଟ ଭୋଟରଙ୍କ ସଂଖ୍ୟା ୫ କୋଟି ୩୯ ଲକ୍ଷ ୮୧ ହଜାର ୬୫ ଥିଲା। ବୟସ ଅନୁସାରେ ୩୦ରୁ ୩୯ ବର୍ଷ ବୟସର ଭୋଟରଙ୍କ ସଂଖ୍ୟା ସର୍ବାଧିକ ୧ କୋଟି ୪୦ ଲକ୍ଷ ୫୦ ହଜାର ୮୬୫ ରହିଛି। ସେହିପରି ୨୦ରୁ ୨୯ ବର୍ଷ ବୟସ ବର୍ଗରେ ୧ କୋଟି ୨୯ ଲକ୍ଷ ୪୮ ହଜାର ୧୦୭ ଜଣ ଭୋଟର ଅଛନ୍ତି। ଚିଠା ଭୋଟର ତାଲିକାକୁ ନେଇ ଦାବି ଓ ଆପତ୍ତି ଜଣାଇବା ପାଇଁ ଡିସେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ନିର୍ବାଚନ ଆୟୋଗ। ୨୦୨୭ ଜାନୁଆରି ୪ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଉଲ୍ଲେଖଯୋଗ୍ୟ, ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନକୁ ନେଇ ପୂର୍ବରୁ ରାଜନୈତିକ ବିବାଦ ଦେଖାଦେଇଥିଲା। ଯୋଗ୍ୟ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦିଆଯାଇଥିବା କଂଗ୍ରେସ ଅଭିଯୋଗ କରିଥିଲା। ଅନ୍ୟପଟେ ମୃତ, ସ୍ଥାନାନ୍ତରିତ, ଅନୁପସ୍ଥିତ ଏବଂ ଏକାଧିକ ଥର ପଞ୍ଜୀକୃତ ଭୋଟରଙ୍କ ନାମ ହଟାଇବା ପାଇଁ ଏହି ପ୍ରକ୍ରିୟା କରାଯାଇଥିବା କହି ବିଜେପି ଏହାକୁ ସମର୍ଥନ କରିଥିଲା। ମଧ୍ୟପ୍ରଦେଶରେ ମୋଟ ୨୩୦ଟି ବିଧାନସଭା ଆସନ ରହିଛି। ସେଥିମଧ୍ୟରୁ ୪୭ଟି ଅନୁସୂଚିତ ଜନଜାତି ଏବଂ ୩୫ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ। ରାଜ୍ୟରେ ୨୯ଟି ଲୋକସଭା ଆସନ ମଧ୍ୟ ରହିଛି। ଏଥିରୁ ୬ଟି ଅନୁସୂଚିତ ଜନଜାତି ଓ ୪ଟି ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଅଛି। ୨୦୨୮ ଶେଷ ଭାଗରେ ରାଜ୍ୟରେ ପରବର୍ତ୍ତୀ ବିଧାନସଭା ନିର୍ବାଚନ ହେବାକୁ ଯାଉଛି।




