ନିଟ୍ ଚାପ ପାଇଁ ବାପାକୁ ହତ୍ୟା କଲା ପୁଅ
ଶରୀରକୁ ଖଣ୍ଡ ଖଣ୍ଡ କରି କାଟି ଡ୍ରମ୍ରେ ପୂରାଇଲା
ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ୫୦ ବର୍ଷୀୟ ବ୍ୟବସାୟୀଙ୍କୁ ତାଙ୍କ ନିଜ ପୁଅ ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇଥବା ୧୯ ବର୍ଷୀୟ କିଶୋରର ନାମ ଅକ୍ଷତ ପ୍ରତାପ ସିଂହ। ଅକ୍ଷତ ତା’ ବାପା ମାନବେନ୍ଦ୍ର ପ୍ରତାପ ସିଂହ (ବର୍ଦ୍ଧମାନ ପାଥୋଲୋଜିର ମାଲିକ)ଙ୍କୁ ଗୁଳିକରି ହତ୍ୟା କରିବାପରେ ତାଙ୍କ ମର ଶରୀରକୁ ଖଣ୍ଡଖଣ୍ଡ କରି କାଟି ଘରେ ଏକ ଡ୍ରମ୍ରେ ପୂରାଇ ଲୁଚାଇ ରଖିଥିଲା। ମର ଶରୀରର କିଛି ଅଂଶକୁ ମଧ୍ୟ ସେ ବାହାରେ ନେଇ ପକାଇଥିଲା। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୨୦ ତାରିଖରେ ମାନବେନ୍ଦ୍ର ନିଖୋଜ ଥିବା ନେଇ ଥାନାରେ ଏକ ଅଭିଯୋଗ ଦାଏର କରାଯାଇଥିଲା। ପୁଲିସ ଏହି ମାମଲାରେ ମାନବେନ୍ଦ୍ରଙ୍କ ପୁଅ ଅକ୍ଷତକୁ ଜେରା କରିଥିଲା। ପୂର୍ବରୁ ବାୟୋଲୋଜିରେ ଦ୍ବାଦଶ ପାସ୍ କରିଥିବା ଅକ୍ଷତ ଜଣେ ବିକମ୍ ଛାତ୍ର। ଅଧିକାରୀମାନେ ତାକୁ ଜେରା ପାଇଁ ନେବା ସମୟରେ ସେ କାନ୍ଦି ପକାଇଥିଲା ଏବଂ ନିଜ ବାପାକୁ ହତ୍ୟା କରିଥିବା ସ୍ବୀକାର କଲା। ଅଭିଯୁକ୍ତ ପୁଲିସକୁ କହିଥିଲା ଯେ ତା’ ବାପା ଲଗାତାର ତା’ ଉପରେ ନିଟ୍ ପାଇଁ ପ୍ରସ୍ତୁତ ହେବାକୁ ଚାପ ପକାଉଥିଲେ। ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ହୁଏ। ଡିସିପି ବିକ୍ରାନ୍ତ ବୀର କହିଛନ୍ତି, ଫେବ୍ରୁଆରି ୨୦ ତାରିଖରେ ବାପ ପୁଅଙ୍କ ମଧ୍ୟରେ ନିଟ୍ ପରୀକ୍ଷା ପ୍ରସ୍ତୁତିକୁ ନେଇ ବଚସା ହୋଇଥିଲା। ଏହି ସମୟରେ ପୁଅ ରାଗରେ ବାପାଙ୍କ ଉପରକୁ ଗୁଳି ଚଳାଇଥିଲା। ଅଭିଯୁକ୍ତ ପୁଅ ଏହାପରେ ବାପାର ମର ଶରୀରକୁ ଘରର ତୃତୀୟ ମହଲାରୁ ତଳ ମହଲାକୁ ଆଣି ଏକ ଖାଲି ଘରେ ଡ୍ରମ୍ରେ ଲୁଚାଇଥିଲା। ପୁଲିସ ଅନୁଯାୟୀ ସେ ବାପାର ମର ଶରୀରକୁ କାଟିଥିଲା ଏବଂ ମର ଶରୀରର କିଛି ଅଂଶକୁ ସେ ଡ୍ରମ୍ରେ ରଖିଥିଲା ଏବଂ ଅନ୍ୟ ଅଂଶକୁ ସଦରୋନା ଗ୍ରାମରେ ନିକଟରେ ପକାଇଥିଲା। ମର ଶରୀର ମିଳିବାପରେ ବରିଷ୍ଠ ଅଧିକାରୀମାନେ ଉକ୍ତ ସ୍ଥାନକୁ ଭଲଭାବେ ଯାଞ୍ଚ କରୁଛନ୍ତି।



