କିମ୍ବଦନ୍ତୀ ଗାୟିକା ଆଶା ଭୋସଲେଙ୍କ ପରଲୋକ
ପ୍ରଧାନମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ବ୍ୟକ୍ତ
ମୁମ୍ବାଇ : ସଂଗୀତ ଜଗତ ସ୍ତବ୍ଧ । ପରଲୋକରେ ଆଶା ତାଇ । ବର୍ଷିଆନ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଆଶା ଭୋଁସଲେ ପାର୍ଥିବ ଶରୀର ତ୍ୟାଗ କରିଛନ୍ତି । ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍ରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଆଶାଙ୍କ ପରଲୋକ ନେଇ ତାଙ୍କ ପୁଅ ଆନନ୍ଦ ଭୋସ୍ଲେ ସୂଚନା ଦେଇଛନ୍ତି ।
୧୯୩୩ ସେପ୍ଟେମ୍ବର ୮ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମିଗ୍ରହଣ କରିଥିଲେ ଆଶା ଭୋସଲେ । ସେ ପ୍ରସିଦ୍ଧ ଥିଏଟର କଳାକାରଶାସ୍ତ୍ରୀୟ ସଙ୍ଗୀତ ଗାୟକ ଦୀନାନାଥ ମଙ୍ଗେସକରଙ୍କ ଝିଅ ଏବଂ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ସାନ ଭଉଣୀ । ୧୯ ବର୍ଷ ବୟସରୁ ସଙ୍ଗୀତ ଦୁନିଆରେ ପାଦ ଥାପି ପାଖାପାଖି ୭ଦଶନ୍ଧି ଧରି ସଂଗୀତ ଜଗତରେ ରାଜ କରୁଥିଲେ ଆଶା ତାଇ । ତାଙ୍କ ସୁମଧୁର ଏବଂ ମନମୁଗ୍ଧକର ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ତାଙ୍କ ଗୀତକୁ ଦେଶ ଏବଂ ବିଦେଶରେ ମଧ୍ୟ ଲୋକ ଭଲ ପାଆନ୍ତି । ୧୪ରୁ ଅଧିକ ଭାରତୀୟ ଭାଷାରେ ସେ ୧୨ ହଜାରରୁ ଅଧିକ ଗୀତ ଗାଇଛନ୍ତି । ସଙ୍ଗୀତ କ୍ଷେତ୍ରକୁ ଅବଦାନ ଲାଗି ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଅନେକ ପୁରସ୍କାର ଏବଂ ସମ୍ମାନ ମିଳିଛି । ୧୯୯୭ ମସିହାରେ ଗ୍ରାମୀ ପୁରସ୍କାର ଲାଗି ନୋମିନେଟ୍ ହେବାରେ ସେ ପ୍ରଥମ ଭାରତୀୟ ଗାୟିକା । ୨୦୦୦ ମସିହାରେ ତାଙ୍କୁ ଦାଦା ସାହେବ ଫାଲ୍କେ ପୁରସ୍କାର ଏବଂ ୨୦୦୮ରେ ପଦ୍ମ ବିଭୂଷଣ ସମ୍ମାନ ମିଳିଥିଲା ।
ଗତକାଲି ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଖବର ପ୍ରଶଂସକ ମାନଙ୍କୁ ଚିନ୍ତିତ କରିଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଆସନ୍ତାକାଲି ଅପରାହ୍ନ ୪ଟାରେ ଶିବାଜୀ ପାର୍କରେ ପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା ନେଇ ସୂଚନା ମିଳିଛି ।

ଲୋକପ୍ରିୟ ଗାୟିକା ଆଶା ଭୋସଲେଙ୍କ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଜନୈତିକ ନେତାମାନେ ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ସମେତ ବହୁ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶା ଭୋସଲେଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଆଶା ଭୋସଲେଙ୍କ ସହିତ ତାଙ୍କର କିଛି ପୁରୁଣା ଫଟୋ ସୋସିଆଲ ମିଡିଆରେ ସେୟାର କରି ଲେଖିଛନ୍ତି, “ଭାରତର ସବୁଠାରୁ ପ୍ରସିଦ୍ଧ ଏବଂ ବହୁମୁଖୀ ସ୍ୱର ମଧ୍ୟରୁ ଜଣେ ଆଶା ଭୋସଲେ ଜୀଙ୍କ ବିୟୋଗରେ ମୁଁ ଗଭୀର ଦୁଃଖିତ । ଦଶନ୍ଧି ଧରି ବ୍ୟାପୀ ତାଙ୍କର ଅସାଧାରଣ ସଙ୍ଗୀତ ଯାତ୍ରା ଆମର ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଥିଲା ଏବଂ ବିଶ୍ୱର ଅଗଣିତ ହୃଦୟକୁ ଛୁଇଁଥିଲା । ତାହା ତାଙ୍କର ହୃଦୟସ୍ପର୍ଶୀ ସ୍ୱର ହେଉ କିମ୍ବା ତାଙ୍କର ଉତ୍ସାହପୂର୍ଣ୍ଣ ରଚନା । ମୁଁ ସର୍ବଦା ତାଙ୍କ ସହିତ ମୋର ପାରସ୍ପରିକ କ୍ରିୟାର ସ୍ମୃତିକୁ ମନେ ରଖିବି । ତାଙ୍କ ପରିବାର, ପ୍ରଶଂସକ ଏବଂ ସଙ୍ଗୀତ ପ୍ରେମୀଙ୍କ ପ୍ରତି ମୋର ଗଭୀର ସମବେଦନା । ସେ ଆଗାମୀ ପିଢ଼ିକୁ ପ୍ରେରଣା ଦେଇ ଚାଲିବେ ଏବଂ ତାଙ୍କ ଗୀତଗୁଡ଼ିକ ସର୍ବଦା ଲୋକଙ୍କ ଜୀବନରେ ପ୍ରତିଧ୍ୱନିତ ହେବ ।”



