ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ, ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କହିଲା ଭାରତ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭୟ, ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ କହିଲା ଭାରତ

 ତେହେରାନ:  ଆମେରିକା-ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଭୀଷଣ ରୂପ ନେଇଛି।  ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ଘନେଇବାରେ ଲାଗିଛି।  ଭାରତ ସୋମବାର ଏହାର ନାଗରିକଙ୍କୁ ତୁରନ୍ତ ତେହେରାନ ଛାଡ଼ିବାକୁ କହିଛି। ଇରାନରେ ରହୁଥିବା ଭାରତୀୟ ‌ଯେକୌଣସି ପରିବହନ ମାଧ୍ୟମ ଦେଇ ସେଠାରୁ ଚାଲିଆସିବାକୁ କୁହାଯାଇଛି। ତେହେରାନରେ ଥିବା ଭାରତୀୟ ଦୂତାବାସ ସଦ୍ୟତମ ପରାମର୍ଶବଳୀ ଜାରି କରିଛି। ଏହାପୂର୍ବରୁ ଚଳିତ ମାସ ଜାନୁଆରି ୫ ତାରିଖରେ ମଧ୍ୟ ଭାରତୀୟ ଦୂତାବାସ ପକ୍ଷରୁ ଭାରତ ନିଜ ନାଗରିକଙ୍କୁ ଇରାନ ଛାଡ଼ିବାପାଇଁ ଏକ ନିଦ୍ଦେର୍ଶାବଳି ଜାରି କରିଥିଲା।  ଜାନୁଆରି ୧୪ରେ ଭାରତୀୟ ନାଗରିକ ଓ ଭାରତୀୟ ବଂଶୋଦ୍ଭବଙ୍କୁ ସତର୍କତା ଅବଲମ୍ବନ କରିବା, ବିରୋଧ ପ୍ରଦର୍ଶନ ଚାଲିଥିବା ଅଞ୍ଚଳଠାରୁ ଦୂରେଇ ରହିବାକୁ ସତର୍କ କରାଇଥିଲା। ସୋମବାର ତେହେରାନ ସ୍ଥିତ ଭାରତୀୟ ଦୂତାବାସ ବର୍ତ୍ତମାନ ଇରାନରେ ଥିବା ସମସ୍ତ ଭାରତୀୟ ନାଗରିକ, ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କୁ ବାଣିଜ୍ୟିକ ବିମାନ ସମେତ ଯେକୌଣସି ଉପଲବ୍ଧ ପରିବହନ ମାଧ୍ୟମରେ ଦେଶ ଛାଡ଼ିବାକୁ କହିଛି। ଏଥିସହ ଭାରତୀୟ ନାଗରିକଙ୍କୁ ସେମାନଙ୍କର ପରିଚୟପତ୍ର ଏବଂ ପାସପୋର୍ଟ ଭଳି ଇମିଗ୍ରେସନ ଏବଂ ଯାତ୍ରା ଡକ୍ୟୁମେଣ୍ଟଗୁଡ଼ିକ ନିଜ ପାଖରେ ରଖିବାକୁ ଏବଂ ଯେକୌଣସି ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଦୂତାବାସ ପକ୍ଷରୁ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରାଯାଇଛି। ଏହାସହିତ ଦୂତାବାସ ସହିତ ନିଜକୁ ପଞ୍ଜିକୃତ କରିବାକୁ କୁହାଯାଇଛି। ଯଦି ଇରାନରେ ଥିବା ବ୍ୟକ୍ତି ନିକଟରେ ଇଣ୍ଟର‌ନେଟ୍‌ ବ୍ୟବସ୍ଥା ନ ଥିବ ତେବେ ସେମାନଙ୍କ ପରିବାର ଲୋକ ମଧ୍ୟ ପଞ୍ଜିକରଣ କରିପାରିବେ।    

ସମ୍ବନ୍ଧିତ ଖବର ଟପ ମାଓନେତା ଦେବଜୀ ଏବଂ ରାଜିରେଡ଼ିଙ୍କ ଆତ୍ମସମର୍ପଣ

Tags: