କାଶ୍ମୀରରେ ସୁରକ୍ଷାବାହିନୀ ସହ ଗୁଳିବିନିମୟରେ ପାକିସ୍ତାନୀ ଲସ୍କର କମାଣ୍ଡର ନିପାତ

କାଶ୍ମୀରରେ ସୁରକ୍ଷାବାହିନୀ ସହ ଗୁଳିବିନିମୟରେ ପାକିସ୍ତାନୀ ଲସ୍କର କମାଣ୍ଡର ନିପାତ
Samaya Live Desk Picture
Published On

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ପାକିସ୍ତାନୀ ଲସ୍କର ଆତଙ୍କବାଦୀ ନିପାତ ହୋଇଛି। ନିହତ ଲସ୍କର ଆତଙ୍କବାଦୀର ନାଁ ୟାସିର। ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ଗୁପ୍ତ ସୂଚନା ମିଳିବା ପରେ ସୁରକ୍ଷାବାହିନୀର ଏକ ମିଳିତ ଟିମ୍‌ ସେହି ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ଅଭିଯାନରେ ସ୍ପେଶାଲ ଫୋର୍ସ ଏବଂ ୫୩ ରାଷ୍ଟ୍ରୀୟ ରାଇଫଲ୍ସ ମିଳିତ ଭାବେ ସାମିଲ ହୋଇଥିଲେ। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ସୂତ୍ର ଅନୁଯାୟୀ, ୟାସିର ଲସ୍ମର ଏ ତଏବାର ବିଶାଳ ସୁଲେମାନ ମୁସା ଗୋଷ୍ଠୀର ଅଂଶ ଥିଲା। ତେବେ ପ୍ରାୟ ଏକ ବର୍ଷ ପୂର୍ବେ ସେ ଏହି ଗୋଷ୍ଠୀଠାରୁ ଅଲଗା ହୋଇଯାଇଥିଲା ଏବଂ ସେବେଠାରୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଥିଲା। ସୁରକ୍ଷା ଏଜେନ୍ସିଗୁଡ଼ିକ ତା’ ଗତିବିଧି ଉପରେ ନଜର ରଖିଥିଲେ ଏବଂ କିଛି ସମୟ ଧରି ୟୁସମର୍ଗ ଅଞ୍ଚଳରେ ତାର କାର୍ଯ୍ୟକଳାପ ଉପରେ ନିରୀକ୍ଷଣ କରୁଥିଲେ। ଉକ୍ତ ଗୋଷ୍ଠୀଠାରୁ ଅଲଗା ହେବା ପରେ ୟାସିର ସେହି ଅଞ୍ଚଳରେ ଲସ୍କରର ଜଣେ ପ୍ରମୁଖ ସଦସ୍ୟ ଭାବେ ଉଭା ହୋଇଥିଲା। ୟୁସମର୍ଗର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ତା’ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାବାହିନୀ ତଲାସୀ ଅଭିଯାନ ଆରମ୍ଭ କରିଥିଲେ, ଯାହା ଶେଷରେ ଏନକାଉଣ୍ଟରର ରୂପ ନେଇଥିଲା। ୟୁସମର୍ଗରେ ଏହି ସଦ୍ୟତମ ଏନକାଉଣ୍ଟର ଏଭଳି ସମୟରେ ଘଟିଛି, ଯେତେବେଳେ ଜମ୍ମୁ-କାଶ୍ମୀରର ବିଭିନ୍ନ ଅଞ୍ଚଳରେ ସୁରକ୍ଷାବାହିନୀ ଆତଙ୍କବାଦ ବିରୋଧୀ ଅଭିଯାନକୁ ଆହୁରି ଜୋରଦାର କରିଛନ୍ତି। ୟାସିରର ମୃତ୍ୟୁ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତା’ର ନେଟୱର୍କ, ଅନ୍ୟ ଲସ୍କର-ଏ-ତୈବା ଆତଙ୍କବାଦୀଙ୍କ ସହ ସମ୍ପର୍କ ଏବଂ ଅଞ୍ଚଳରେ ତା’ କାର୍ଯ୍ୟକଳାପ କେତେ ଦୂର ପର୍ଯ୍ୟନ୍ତ ଥିଲା, ତାହାର ତଦନ୍ତ କରୁଛନ୍ତି।

Tags: