ରୋହିଣୀଙ୍କ ଅଭିଯୋଗ ପ‌ରେ ନିରବତା ଭାଙ୍ଗିଲେ ଲାଲୁ, ଏହା ପାରିବାରିକ ମାମଲା

ରୋହିଣୀଙ୍କ ଅଭିଯୋଗ ପ‌ରେ ନିରବତା ଭାଙ୍ଗିଲେ ଲାଲୁ, ଏହା ପାରିବାରିକ ମାମଲା
ପାଟନା: ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି) ସୁପ୍ରିମ‌ୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ସୋମବାର ଜନସାଧାରଣ ଓ ଦଳୀୟ କର୍ମୀମାନଙ୍କୁ ଦଳର ଏକତା ଏବଂ ଦଳର ପ୍ରଦର୍ଶନରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ଝିଅ ରୋହିଣୀଙ୍କ ଅଭିଯୋଗ ଉପରେ ପ୍ରଥମ ଥର ମନ୍ତବ୍ୟ ଦେଇ ଲାଲୁ କହିଛନ୍ତି, ଏହା ଏକ ଆଭ୍ୟନ୍ତରୀଣ ପାରିବାରିକ ମାମଲା ଏବଂ ପରିବାର ମଧ୍ୟରେ ଏହାର ସମାଧାନ ହେବ।
ଲାଲୁଙ୍କୁ କିଡନି ଦାନ କରିଥିବା ତାଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ତାଙ୍କ ପରିବାର ସହ ସମ୍ପର୍କ ତୁଟାଇବା ସହ ରାଜନୀତିରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଥିଲେ। ୪୬ ବର୍ଷୀୟା ରୋହିଣୀ ତାଙ୍କର ଏଭଳି ଚରମ ନିଷ୍ପତ୍ତି ପାଇଁ ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଏବଂ ତେଜସ୍ୱୀ ଯାଦବଙ୍କ ସହଯୋଗୀ ରମିଜଙ୍କୁ ଦାୟୀ କରିଥିଲେ। ରାଜ୍ୟ ବିଧା‌ନସଭା ନିର୍ବାଚନରେ ଆର୍‌ଜେଡି ମାତ୍ର ୨୫ଟି ଆସନ ପାଇଛି, ଯାହା ଏକ ଦଶନ୍ଧି ମଧ୍ୟରେ ବିହାର ନିର୍ବାଚନରେ ଦଳର ସବୁଠାରୁ ଖରାପ ପ୍ରଦର୍ଶନ। ରୋହିଣୀଙ୍କ ଏହି ନିଷ୍ପତ୍ତି ପରେ ତାଙ୍କର ଅନ୍ୟ ତିନି ଭଉଣୀ ଚନ୍ଦା, ରାଗିଣୀ ଓ ହେମା ମଧ୍ୟ ରବିବାର ଅପରାହ୍ଣରେ ଲାଲୁଙ୍କ ଘରୁ ବାହାରି ଯାଇଥିଲେ। ରୋହିଣୀ ଅଭିଯୋଗ କରିଥିଲେ ଯେ ତାଙ୍କୁ ଅପମାନିତ କରାଯାଇଥିଲା, ଅଶ୍ଳୀଳ ଗାଳିଗୁଲଜ କରାଯାଇଥିଲା ଏବଂ ତାଙ୍କୁ ମାରିବା ପାଇଁ ଚପଲ ଉଠାଯାଇଥିଲା।  

Related Posts