କୁଶିନଗର ଦୁର୍ଘଟଣା ,୭ଜଣଙ୍କ ଶୋଚନୀୟ ମୃତ୍ୟୁ

କୁଶିନଗର ଦୁର୍ଘଟଣା ,୭ଜଣଙ୍କ ଶୋଚନୀୟ  ମୃତ୍ୟୁ
Samaya Live News Picture
Published On

ଉତ୍ତରପ୍ରଦେଶ : କୁଶୀନଗରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିବାହ କାର୍ଯ୍ୟକ୍ରମରେ ଯୋଗଦେଇ ଘରକୁ ଫେରୁଥିବା ବେଳେ ଟ୍ରକ ଏବଂ ଭ୍ୟାନ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହେବା ଫଳରେ ଗୋଟିଏ ପରିବାରର ୫ ଜଣଙ୍କ ସହ ୭ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗତକାଲି (ରବିବାର) ବିଳମ୍ବିତ ରାତିରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିଲା ।

ସୂଚନାନୁସାରେ, କୁଶୀ ନଗର କପ୍ତାନଗଞ୍ଜ ଥାନା ଅନ୍ତର୍ଗତ ଭଲୁହି ଗାଁର ଏକ ପରିବାର ର ୫ଜଣ ସଦସ୍ୟଙ୍କ ସମେତ ସମୁଦାୟ ୮ଜଣ ମାରୁତି ଓମନି ରେ ଜଣେ ସମ୍ପର୍କୀୟଙ୍କ ବିବାହକୁ ଯାଇଥିଲେ । ଭୋଜି ସାରି ରବିବାର ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ହାଟା କୋତୱାଲି ଥାନା ଅଞ୍ଚଳର ଥରୁଆଡିହ ନିକଟରେ ସାମ୍ନାପଟୁ ଆସୁଥିବା ଏକ ଟ୍ରକ୍‌ ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାର୍‌ଟି ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏଥିରେ ଥିବା ୭ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ ।

ମୃତକମାନେ ହହେଉଛନ୍ତି ,ମୃଦୁଲ ମିଶ୍ର (୩୮), କନହୈୟା ପ୍ରସାଦ (୪୫), ମିଥିଳେଶ ଗୁପ୍ତା (୨୧), ରଣଜୟ ଗୁପ୍ତା (୩୭), ରାମ ମିଲନ ପ୍ରସାଦ (୩୮), ରାମବିଳାସ (୬୫) ଏବଂ ଆୟୁଷ ପ୍ରସାଦ (୧୭) ।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କାର୍‌ ଭିତରେ ଫସି ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଗୋରଖପୁର ସ୍ଥିତ ବିଆର୍‌ଡି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର  ଭ୍ୟାନରେ ଥିବା ୮ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି, ଯାହାଫଳରେ ମୋଟ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି । ଆହତ କିଶୋରଙ୍କୁ ଗୋରଖପୁର ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । 

ଏନେଇ କୋତୱାଲି ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସେପଟେ ଦୁର୍ଘଟଣା ଘଟାଇବା ପରେ ଟ୍ରେଲର୍ ଡ୍ରାଇଭର ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ​ଗୋଟିଏ ଗାଁର ୬ ଜଣଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଭଲୁହୀ ଗ୍ରାମରେ ଗଭୀର ଶୋକର ଛାୟା ଖେଳିଯାଇଛି ।

 

Tags: