୩ ବର୍ଷ ପରେ ପ୍ରଥମ ଥର ପାଇଁ ମଣିପୁର ବିଧାନସଭାରେ ଯୋଗଦେଲେ କୁକି ବିଧାୟକ
ଇମ୍ଫାଲ : ମଣିପୁର ବିଧାନସଭାର ଅଧିବେଶନରେ କୁକି ସମ୍ପ୍ରଦାୟର ବିଧାୟକମାନେ ଯୋଗଦେଇଛନ୍ତି। ରାଜ୍ୟରେ ୩ ବର୍ଷରୁ ଅଧିକ ସମୟ ପୂର୍ବେ ଜାତିଗତ ହିଂସା ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ କୁକି ବିଧାୟକମାନେ ବିଧାନସଭାରେ ପ୍ରତ୍ୟକ୍ଷ ଉପସ୍ଥିତ ହୋଇଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି। କୁକି ପିପୁଲ୍ସ ଆଲାଏନ୍ସ (କେପିଏ) ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ରହିଥିବା ବିଶ୍ୱାସର ଅଭାବକୁ ଦୂର କରିବା ଏବଂ କମାଇବା ପାଇଁ ରାଜ୍ୟ ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଏହି ବିକାଶ ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ସମସ୍ତଙ୍କୁ ସାମିଲ କରି ଆଲୋଚନା ଏବଂ ପୁନଃସମନ୍ୱୟ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ମଧ୍ୟ ଦୋହରାଇଛନ୍ତି। ଏହା ପୂର୍ବରୁ କୁକିମାନଙ୍କ ଶୀର୍ଷ ସଂଗଠନ କୁକି ଇନ୍ପି ମଣିପୁର (କେଆଇଏମ୍) ସମ୍ପ୍ରଦାୟର ସମସ୍ତ ବିଧାୟକଙ୍କୁ ବୁଧବାରଠାରୁ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ଯୋଗଦେବା ପାଇଁ ମୈତେୟୀ-ବହୁଳ ଇମ୍ଫାଲ ଯାତ୍ରା ନକରିବାକୁ ନିର୍ଦ୍ଦେଶ ଦେଇଥିଲା। କୁକି-ଜୋ ସମ୍ପ୍ରଦାୟର ପୃଥକ ପ୍ରଶାସନ ଦାବି ଉପରେ ରାଜନୈତିକ ସମାଧାନ ନହେବା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଦିଆଯାଇଥିଲା।ଫେବ୍ରୁଆରୀ ମାସରେ ୬ ଜଣ କୁକି-ଜୋ ବିଧାୟକ ମଣିପୁର ବିଧାନସଭାର ବଜେଟ୍ ଅଧିବେଶନରେ ଭର୍ଚୁଆଲ୍ ମାଧ୍ୟମରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ୨୦୨୩ ମସିହା ମେ’ ମାସରୁ ଇମ୍ଫାଲ ଉପତ୍ୟକାର ମୈତେୟୀ ଏବଂ ଏହା ସଂଲଗ୍ନ ପାହାଡ଼ିଆ ଅଞ୍ଚଳର କୁକି ସମ୍ପ୍ରଦାୟ ମଧ୍ୟରେ ଚାଲିଥିବା ଜାତିଗତ ହିଂସାରେ ୨୬୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ଏବଂ ହଜାର ହଜାର ଲୋକ ଘରଛାଡ଼ା ହୋଇଛନ୍ତି।
Tags:




