ସିଗେଲା ସଂକ୍ରମଣରେ କେରଳରେ ୪ ବର୍ଷ ଶିଶୁର ମୃତ୍ୟୁ
ଥିରୁଅନନ୍ତପୁରମ: କେରଳରେ ସିଗେଲା ସଂକ୍ରମଣ ଆତଙ୍କ ଖେଳାଇ ଦେଇଛି। ଏହି ସଂକ୍ରମଣରେ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। କେରଳ ସ୍ୱାସ୍ଥ୍ୟମନ୍ତ୍ରୀ କେ. ମୁରଲୀଧରନ ରବିବାର କହିଛନ୍ତି ଯେ, କୋଝିକୋଡରେ ସିଗେଲା ସଂକ୍ରମଣରେ ଚାରି ବର୍ଷର ଶିଶୁର ମୃତ୍ୟୁ ହେବା ପରେ ସରକାର ସର୍ଭେଲାନ୍ସ ଓ ପ୍ରତିଷେଧକ ପଦକ୍ଷେପକୁ ତୀବ୍ର କରିଛନ୍ତି। ଏହା ରାଜ୍ୟରେ ସିଗେଲା ସଂକ୍ରମଣ ରୋଗରେ ପ୍ରଥମ ମୃତ୍ୟୁ ମାମଲା ବୋଲି ରିପୋର୍ଟ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ କହିଛନ୍ତି ଯେ, ସଂକ୍ରମଣ ଯୋଗୁ ତିନି ଜଣ ପିଲାଙ୍କୁ କୋଝିକୋଡ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଦୁଇଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ବେଳେ, ଥାଲକ୍କୁଲାଥୁରର ଜଣେ ଚାରି ବର୍ଷର ଶିଶୁ ନିଲାଙ୍କର ଶନିବାର ଏହି ରୋଗରେ ମୃତ୍ୟୁ ହୋଇଛି। ମୁରଲୀଧରନ କହିଛନ୍ତି ଯେ, ସିଗେଲା ଏକ ଜୀବାଣୁ ସଂକ୍ରମଣ ଯାହା ମୁଖ୍ୟତଃ ଅନ୍ତଃନଳୀକୁ ପ୍ରଭାବିତ କରେ ଓ ଡାଇରିଆ, ଜ୍ୱର ଓ ପେଟ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଏ। ସିଗେଲା ସଂକ୍ରମଣ ଦୂଷିତ ଖାଦ୍ୟ ଓ ପାଣି ମାଧ୍ୟମରେ ବ୍ୟାପିଥାଏ। ଗତ ସପ୍ତାହରେ ଆଲାପୁଝା ଓ ପଠାନମଥିଟ୍ଟା ଜିଲ୍ଲାରେ ପ୍ରାୟ ୧୨୩ ଟି ମାମଲା ରିପୋର୍ଟ ହୋଇଥିଲା। ୱାୟନାଡରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାକସ୍ଥଳୀ ରୋଗର ରିପୋର୍ଟ ନେଇ ଚିନ୍ତା ମଧ୍ୟରେ ମନ୍ତ୍ରୀ କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଏହି ମାମଲାଗୁଡ଼ିକ ସିଗେଲା ସହିତ ଜଡିତ ନୁହେଁ। ମନ୍ତ୍ରୀ କହିଛନ୍ତି ଯେ, କୋଝିକୋଡ ମେଡିକାଲ କଲେଜର ଏକ ଡାକ୍ତରୀ ଦଳକୁ ଶନିବାର ସନ୍ଧ୍ୟାରେ ଉକ୍ତ ଅଞ୍ଚଳକୁ ପଠାଯାଇଥିଲା ଓ ବିସ୍ତୃତ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଥିଲା। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ ମାମଲାଗୁଡ଼ିକ ସିଗେଲା ସହିତ ଜଡିତ ନୁହେଁ, କିନ୍ତୁ ଅଧିକ ପରୀକ୍ଷା ଚାଲିଛି ଓ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି।



