କେରଳରେ ବଦଳିବ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ; ଏଣିକି ‘ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହାପିନେସ୍‌ ଆଣ୍ଡ୍‌ ୱେଲ୍‌ନେସ୍‌’

କେରଳରେ ବଦଳିବ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ; ଏଣିକି ‘ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହାପିନେସ୍‌ ଆଣ୍ଡ୍‌ ୱେଲ୍‌ନେସ୍‌’
Samaya Live Desk Picture
Published On

କୋଚି: ମାନସିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ଲୋକଙ୍କ ଚିକିତ୍ସା ସହ ସେମାନଙ୍କ ମାନସିକ ସୁସ୍ଥତା ଓ ଖୁସିକୁ ଗୁରୁତ୍ୱ ଦେବା ଲକ୍ଷ୍ୟରେ କେରଳ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି। ରାଜ୍ୟର ତିନିଟି ପ୍ରମୁଖ ସରକାରୀ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ନାମ ବଦଳାଇ ‘ରିଜିଓନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ହାପିନେସ୍‌ ଆଣ୍ଡ୍‌ ୱେଲ୍‌ନେସ୍‌’ ରଖିବାକୁ ସ୍ଥିର ହୋଇଛି। ତେବେ କେବଳ ନାମ ପରିବର୍ତ୍ତନ ନୁହେଁ, ଏହି ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ କାର୍ଯ୍ୟପ୍ରଣାଳୀରେ ମଧ୍ୟ ସୁଧାର ଆଣିବାକୁ କେରଳ ହାଇକୋର୍ଟ ଗୁରୁତ୍ୱ ଦେଇଛନ୍ତି। ଥିରୁଅନନ୍ତପୁରମ୍‌, ଥ୍ରିସୁର ଓ କୋଝିକୋଡ୍‌ରେ ଥିବା ଏହି ତିନୋଟି ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂଆ ନାମ ଚୂଡ଼ାନ୍ତ ହୋଇଥିବା ରାଜ୍ୟ ସରକାର ମଙ୍ଗଳବାର ହାଇକୋର୍ଟଙ୍କୁ ଜଣାଇଛନ୍ତି। ବିଭିନ୍ନ ପକ୍ଷ, ବିଶେଷକରି ଡାକ୍ତରୀ ସଂଗଠନଗୁଡ଼ିକ ସହ ଆଲୋଚନା ପରେ ଏହି ନାମ ସ୍ଥିର ହୋଇଛି। ଏନେଇ ଔପଚାରିକ ସରକାରୀ ଆଦେଶ ଜାରି କରାଯାଉଥିବା ଆଡ୍‌ଭୋକେଟ୍‌ ଜେନେରାଲ୍‌ କେ. ଜାଜୁ ବାବୁ ବିଚାରପତି ଜଷ୍ଟିସ୍‌ ଦେବନ୍‌ ରାମଚନ୍ଦ୍ରନ୍‌ ଓ ଜଷ୍ଟିସ୍‌ ବସନ୍ତ ବାଲାଜୀଙ୍କ ଖଣ୍ଡପୀଠକୁ କହିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଏହି ଆଦେଶ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନିଟି କେନ୍ଦ୍ରକୁ ପୂର୍ବରୁ ନିଜେ ପରିଦର୍ଶନ କରିଥିବା ଖଣ୍ଡପୀଠ ସେଠାରେ ତୁରନ୍ତ ସୁଧାର ଆବଶ୍ୟକ କରୁଥିବା ଚାରିଟି କ୍ଷେତ୍ର ଚିହ୍ନଟ କରିଛନ୍ତି। ସେଗୁଡ଼ିକ ହେଲା—କେନ୍ଦ୍ରଗୁଡ଼ିକର ଚାରିପଟେ ପାଚେରି ନିର୍ମାଣ, ଆବଶ୍ୟକ ସଂଖ୍ୟକ କର୍ମଚାରୀ ନିଯୁକ୍ତି, ଔଷଧର ନିରବଚ୍ଛିନ୍ନ ଯୋଗାଣ ଏବଂ ଖାଦ୍ୟ ସାମଗ୍ରୀ ସମେତ ଅନ୍ୟ ଅତ୍ୟାବଶ୍ୟକ ଜିନିଷ ପରିବହନ ପାଇଁ ଗାଡ଼ି ବ୍ୟବସ୍ଥା। ବିଶେଷକରି ପାଚେରି ନିର୍ମାଣରେ ବିଳମ୍ବକୁ ନେଇ କୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅନୁଷ୍ଠାନର ସୁରକ୍ଷା ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ପରିସରର ସୁରକ୍ଷା ଅତ୍ୟନ୍ତ ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି। ସରକାର ଠୋସ୍‌ ଅଗ୍ରଗତି ଦେଖାଇବାରେ ବିଫଳ ହେଲେ ଅଦାଲତ ଅବମାନନା କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି। ଔଷଧ ଯୋଗାଣ ବ୍ୟବସ୍ଥାରେ ସୁଧାର ଅଣାଯାଇଥିବା ଏବଂ ଏକରୁ ଦୁଇ ସପ୍ତାହ ମଧ୍ୟରେ ଗାଡ଼ି କିଣାଯିବା ଆଶା ଥିବା ଆଡ୍‌ଭୋକେଟ୍‌ ଜେନେରାଲ୍‌ କୋର୍ଟଙ୍କୁ ଜଣାଇଛନ୍ତି। ପାଚେରି ନିର୍ମାଣ କାମ ମଧ୍ୟ ଦ୍ରୁତଗତିରେ ଚାଲିଥିବା ସେ କହିଛନ୍ତି। କର୍ମଚାରୀ ଅଭାବ ପୂରଣ ପାଇଁ ସରକାର ଆଉ ଦୁଇ ସପ୍ତାହ ସମୟ ମାଗିଛନ୍ତି। ନୂଆ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବଙ୍କୁ ସମ୍ପୃକ୍ତ ଫାଇଲ୍‌ ଯାଞ୍ଚ କରିବାକୁ ଅଧିକ ସମୟ ଆବଶ୍ୟକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସରକାରଙ୍କ ପ୍ରତିଶ୍ରୁତି କେବଳ କାଗଜପତ୍ରରେ ସୀମିତ ନ ରହି ବାସ୍ତବ କାର୍ଯ୍ୟରେ ପରିଣତ ହେବା ଉଚିତ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପରବର୍ତ୍ତୀ ଶୁଣାଣିରେ ଔଷଧ ଓ ଗାଡ଼ି ବ୍ୟବସ୍ଥାର ଅଗ୍ରଗତି ଦେଖାଇବା ସହ ପାଚେରି ନିର୍ମାଣ ଓ କର୍ମଚାରୀ ନିଯୁକ୍ତି ସମ୍ପର୍କରେ ଆସନ୍ତା ମଙ୍ଗଳବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ପୂର୍ବରୁ ସରକାର ଏହି କେନ୍ଦ୍ରଗୁଡ଼ିକର ନାମ ‘ହାପିନେସ୍‌ ଆଣ୍ଡ୍‌ ୱେଲ୍‌ନେସ୍‌ ସେଣ୍ଟର୍ସ’ ରଖିବାକୁ ପ୍ରସ୍ତାବ ଦେଇଥିଲେ। ଏହାକୁ ଇଣ୍ଡିଆନ୍‌ ମେଡିକାଲ୍‌ ଆସୋସିଏସନ୍‌ (ଆଇଏମ୍‌ଏ) ଓ ଇଣ୍ଡିଆନ୍‌ ସାଇକିଆଟ୍ରିକ୍‌ ସୋସାଇଟି ଆପତ୍ତି ଉଠାଇଥିଲେ। ହାଇକୋର୍ଟ ଉଭୟ ସଂଗଠନକୁ ନିଜ ମତ ଓ ଆପତ୍ତି ସରକାରଙ୍କ ନିକଟରେ ରଖିବାକୁ ସୁଯୋଗ ଦେଇଥିଲେ। ସେହି ଆଲୋଚନା ପରେ ନୂଆ ନାମ ଚୂଡ଼ାନ୍ତ ହୋଇଛି। ଉଲ୍ଲେଖଯୋଗ୍ୟ, ମାନସିକ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ଅଧିକାର ଓ କଲ୍ୟାଣ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘ଶୀଲା ବାର୍ସେ’ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶ ପରେ ୧୯୯୬ରୁ ଏହି ମାମଲାରେ ନ୍ୟାୟିକ ହସ୍ତକ୍ଷେପ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ହାଇକୋର୍ଟ ଏହି ତିନିଟି ଅନୁଷ୍ଠାନର ସ୍ଥିତି ଉପରେ ନଜର ରଖିଛନ୍ତି।

Tags: