ଶୀତଋତୁ ପାଇଁ ବନ୍ଦ ହେଲା କେଦାରନାଥ ଧାମ, ୬ ମାସ ପରେ ଖୋଲିବ ମନ୍ଦିରର ଦ୍ୱାର
କେଦାରନାଥ: ବାବା ଭୋଳାନାଥଙ୍କ ଦର୍ଶନ ପାଇଁ ଶେଷ ମୁହୂର୍ତ୍ତରେ ଛୁଟିଥିଲା ଭକ୍ତଙ୍କ ସୁଅ। ଚାରିଆଡ଼େ ହର ହର ମହାଦେବ ଧ୍ୱନି ସାଙ୍ଗକୁ ବେଦମନ୍ତ୍ର ଉଚ୍ଚାରଣ ଓ ପାରମ୍ପରିକ ପୂଜାବିଧି ମଧ୍ୟରେ ଶୀତଋତୁ ପାଇଁ ବନ୍ଦ ହୋଇଛି ପ୍ରସିଦ୍ଧ ହିମାଳୟ ତୀର୍ଥ କେଦାରନାଥ ଧାମର ଦ୍ୱାର। ବୁଧବାର ସକାଳ ୮ଟା ୩୦ ମିନିଟ୍ରେ ବିଧିବଦ୍ଧ ଭାବେ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ କରାଯାଇଛି। ଏଥିସହ ପ୍ରାୟ ୬ ମାସ ପାଇଁ ବାବା କେଦାରଙ୍କ ଦର୍ଶନରେ ପଡ଼ିଛି ବିରାମ। ମନ୍ଦିର ବନ୍ଦ ହେବାର ଏହି ପବିତ୍ର ମୁହୂର୍ତ୍ତକୁ ଦେଖିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତ ସମେତ ବିଦେଶରୁ ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କେଦାରନାଥ ଧାମରେ ପହଞ୍ଚିଥିଲେ। ଶୀତଋତୁ ପାଇଁ ମନ୍ଦିର ବନ୍ଦ ହେବା ପୂର୍ବରୁ ଭଗବାନ ଶିବଙ୍କ ଶେଷ ଦର୍ଶନ କରି ଆଶୀର୍ବାଦ ନେବାକୁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।କେଦାରନାଥ ଧାମର ମୁଖ୍ୟ ପୁରୋହିତ ଗଙ୍ଗାଧର ଲିଙ୍ଗ ମହାରାଜ ଏଏନ୍ଆଇକୁ କହିଛନ୍ତି ଯେ, ନିର୍ଦ୍ଧାରିତ ଧାର୍ମିକ ବିଧିବିଧାନ ଅନୁଯାୟୀ ମନ୍ଦିରର ଦ୍ୱାର ବନ୍ଦ କରାଯାଇଛି। ପ୍ରଥମେ ସକାଳେ ଭଗବାନ ଶଙ୍କରଙ୍କ ମହାଭିଷେକ କରାଯାଇଥିଲା। ଏହାପରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ବେଦମନ୍ତ୍ର ପାଠ ପରେ ସକାଳ ୮ଟା ୩୦ ମିନିଟ୍ରେ ମନ୍ଦିରର ମୁଖ୍ୟ ଦ୍ୱାର ବନ୍ଦ ହୋଇଥିଲା। ମନ୍ଦିର ବନ୍ଦ ହେବା ପରେ ବାବା କେଦାରଙ୍କ ଡୋଲିକୁ ଉତ୍ତରାଖଣ୍ଡର ଉଖିମଠସ୍ଥିତ ଓଁକାରେଶ୍ୱର ମନ୍ଦିରକୁ ନିଆଯିବ। ଏହି ମନ୍ଦିର ହେଉଛି ଶୀତଋତୁରେ ବାବା କେଦାରଙ୍କ ଶୀତକାଳୀନ ଆବାସ। ଆଗାମୀ ଶୀତ ମାସଗୁଡ଼ିକରେ ସେଠାରେ ହିଁ ବିଧିବଦ୍ଧ ଭାବେ ଦେବଦେବ ମହାଦେବଙ୍କ ପୂଜାର୍ଚ୍ଚନା ଜାରି ରହିବ। ପ୍ରାୟ ଛଅ ମାସ ପରେ ପୁଣି ଥରେ ଭକ୍ତଙ୍କ ପାଇଁ ଖୋଲିବ କେଦାରନାଥ ଧାମର ଦ୍ୱାର।




