କାଶ୍ମୀର ପାକିସ୍ତାନର ଅଂଶ ହେବ : ପାକ୍ ପ୍ରଧାନମନ୍ତ୍ରୀ
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଗୁରୁବାର ଦିନ ପାକିସ୍ତାନ ଅଧିକୃତ କାଶ୍ମୀରରେ ଏକ ସମାବେଶକୁ ସମ୍ବୋଧିତ କରିବା ସମୟରେ କାଶ୍ମୀର ପାକିସ୍ତାନର ଅଂଶ ହେବ ବୋଲି ଘୋଷଣା କରିଥିଲେ। ମୁଜାଫରାବାଦରେ ପାକ୍ ଅଧିକୃତ କାଶ୍ମୀରର ଆସେମ୍ବ୍ଲିକୁ ସମ୍ବୋଧିତ କରି ଶେହବାଜ୍ କାଶ୍ମୀର ଲୋକଙ୍କ ପ୍ରତି ପାକିସ୍ତାନର ଗଭୀର ସମର୍ଥନ ରହିଛି ବୋଲି କହିଥିଲେ। ଜମ୍ମୁ-କାଶ୍ମୀର ବିବାଦର ସମାଧାନ ପାଇଁ କାଶ୍ମୀର ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେବା ତଥା ଜାତିସଂଘ ସୁରକ୍ଷା ପରିଷଦର ପ୍ରସ୍ତାବ ଗ୍ରହଣ କରିବାର ଆବଶ୍ୟକତା ଥିବା ସେ କହିଛନ୍ତି। ଶେହବାଜ କହିଥିଲେ, ପାକିସ୍ତାନ ଜନତା ଏବଂ ନେତୃବୃନ୍ଦଙ୍କ ପକ୍ଷରୁ କାଶ୍ମୀରର ଆମ ଭାଇଭଉଣୀମାନଙ୍କ ସହ ଏକତା ପ୍ରକାଶ କରିବାକୁ ଆସିଛି। ଏହି ସମୟରେ ଶେହବାଜ କାଶ୍ମୀର ପାକିସ୍ତାନର ଏକ ଅଂଶ ହେବ ବୋଲି ଦୃଢ଼ ଭାବେ କହିଥିଲେ। ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନା ଏହି ଅଞ୍ଚଳକୁ ପାକିସ୍ତାନର ‘ଗଣ୍ଠି ଶିରା‘ ଭାବରେ ବର୍ଣ୍ଣନା କରିଥିଲେ। ଏହାହିଁ ଆମର ବୈଦେଶିକ ନୀତିର ଆଧାର ଗଠନ କରି ଚାଲିଛି। ପାକିସ୍ତାନ ଏହି ଅଞ୍ଚଳରେ ଶାନ୍ତି ଚାହୁଛି କିନ୍ତୁ ଏହା ସମାନତା ଏବଂ ନ୍ୟାୟ ଉପରେ ନିର୍ମିତ ହେବା ଉଚିତ ବୋଲି ଶେହବାଜ କହିଛନ୍ତି। ଅନ୍ୟପକ୍ଷେ ଭାରତ ସର୍ବଦା କହିଆସିଛି ଯେ, ଜମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଂଶ। ଏହା ଭାରତର ଥିଲା, ରହିଛି ଏବଂ ଆଗକୁ ମଧ୍ୟ ରହିବ।



