ଅଶ୍ଳୀଳ ଭିଡିଡ଼ ମାମଲାରେ ନିଲମ୍ବିତ ହେଲେ କର୍ଣ୍ଣାଟକ ଡିଜିପି
ବେଙ୍ଗାଲୁରୁ: ଅଶ୍ଳୀଳ ଭିଡିଓ ମାମଲାରେ କର୍ଣ୍ଣାଟକ ପୁଲିସ ମହାନିର୍ଦ୍ଦେଶକ (ନାଗରିକ ଅଧିକାର ପ୍ରବର୍ତ୍ତନ) କେ. ରାମଚନ୍ଦ୍ର ରାଓଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତେବେ ରାଓ ଭିଡିଓଗୁଡ଼ିକୁ ସମ୍ପୂର୍ଣ୍ଣ ନକଲି ବୋଲି କହିଛନ୍ତି। ତାଙ୍କ ଭାବମୂର୍ତ୍ତିକୁ ଖରାପ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଭିଡିଓ ପଛର ସତ୍ୟତା ଉନ୍ମୋଚନ ପାଇଁ ଫରେନସିକ୍ ତଦନ୍ତ ଦାବି କରିଛନ୍ତି। ରିପୋର୍ଟ ଅନୁଯାୟୀ, ମହିଳାମାନଙ୍କ ସହିତ ଆପତ୍ତିଜନକ ସ୍ଥିତିରେ ଥିବା ଭିଡିଓ ସାମ୍ନାକୁ ଆସିବା ପରେ ରାଓଙ୍କୁ ନିଲମ୍ବିତ କରାଯାଇଛି। ଭିଡିଓ ଭାଇରାଲ ହେବା ପରେ ରାଓ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି. ପରମେଶ୍ୱରଙ୍କୁ ଭେଟିବାକୁ ଯାଇଥିଲେ,କିନ୍ତୁ ତାଙ୍କୁ ଭେଟିପାରି ନଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଦାବି କରାଯାଇଛି ଯେ ଆପତ୍ତିଜନକ ଅବସ୍ଥାରେ ଦେଖାଯାଉଥିବା ଅଧିକାରୀ ଜଣଙ୍କ ହେଉଛନ୍ତି ରାଓ। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏହି ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହାର ଏକ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ବେଲାଗାଭିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ସିଦ୍ଦରମୈୟା କହିଛନ୍ତି, ତାଙ୍କୁ ସୋମବାର କ୍ଲିପ୍ ବିଷୟରେ ଅବଗତ କରାଯାଇଥିଲା, ଯେଉଁଥିରେ ତିନୋଟି କ୍ଲିପ୍ ଏକାଠି ଯୋଡ଼ା ହୋଇଛି। ସେ କହିଛନ୍ତି, ଅଧିକାରୀ ଯେତେ ବରିଷ୍ଠ ହୁଅନ୍ତୁ ନା କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭିଡିଓଟି କେଉଁ ପରିସ୍ଥିତିରେ ରେକର୍ଡ କରାଯାଇଥିଲା ଓ କିଏ ଏହାକୁ ଭାଇରାଲ କରିଥିଲା ତାହାର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।



