ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଲେ ଜେପି ନଡ୍ଡା
ନୂଆଦିଲ୍ଲୀ : ସୋମବାର ସିଜେପି ପ୍ରତିବାଦ ସମୟରେ ଘଟିଥିବା ସଂଘର୍ଷରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଦିଲ୍ଲୀସ୍ଥିତ ଲେଡି ହାର୍ଡିଙ୍ଗ ହସ୍ପିଟାଲରେ ପହଞ୍ଚିଛନ୍ତି। ନଡ୍ଡା ହସ୍ପିଟାଲର ନିର୍ଦ୍ଦେଶକ ଏବଂ ବରିଷ୍ଠ ଡାକ୍ତରମାନଙ୍କ ସହ ଆଲୋଚନା କରି ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥା ସମ୍ପର୍କରେ ବୁଝିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ଆଜି ଦିଲ୍ଲୀ ସ୍ଥିତ ରାମ ମନୋହର ଲୋହିଆ (ଆରଏମଏଲ) ହସ୍ପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି। ଏହା ପୂର୍ବରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଆହତ ଛାତ୍ରଛାତ୍ରୀଙ୍କୁ ଆରଏମଏଲ ହସ୍ପିଟାଲରେ ଭେଟିଥିଲେ। ଇତି ମଧ୍ୟରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କୀରଣ ରିଜିଜୁ କହିଛନ୍ତି ଯେ ସିଜେପି ପ୍ରତିବାଦକାରୀଙ୍କ ସହ ଚାଲିଥିବା ଆଲୋଚନା ‘ସଠିକ୍ ଦିଗରେ ଆଗକୁ ବଢ଼ୁଛି’। ରିଜିଜୁ କହିଛନ୍ତି, ପରିବେଶକୁ ଅଶାନ୍ତ କିମ୍ବା ବିଷାକ୍ତ କରାଯିବା ଉଚିତ ନୁହେଁ। ସେ ସମସ୍ତ ପକ୍ଷଙ୍କୁ ଶାନ୍ତିପୂର୍ଣ୍ଣ ଓ ସକାରାତ୍ମକ ପରିବେଶ ବଜାୟ ରଖି ଆଲୋଚନାକୁ ଆଗକୁ ନେବାକୁ ଆହ୍ୱାନ କରିଛନ୍ତି।




