ହର୍ମୁଜ ପ୍ରଣାଳୀରେ ସୁରକ୍ଷିତ ଜାହାଜ ଚଳାଚଳ ପାଇଁ ପ୍ରୟାସ
ସହଯୋଗର ହାତ ବଢ଼ାଇଲେ ୫ ୟୁରୋପୀୟ ରାଷ୍ଟ୍ର, ଜାପାନ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ସଙ୍କଟ ପାଇଁ ଏବେ ରଣନୈତିକ ଭାବେ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଚଳ ଠପ୍ ହୋଇଯାଇଥିବାରୁ ଏଦିଗରେ ସହଯୋଗର ହାତ ବଢ଼ାଇଛନ୍ତି ଜାପାନ ସହ ୫ ୟୁରୋପୀୟ ରାଷ୍ଟ୍ର ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲି ଏବଂ ନେଦରଲାଣ୍ଡ। ହର୍ମୁଜ ଦେଇ ବିଶ୍ବ ତୈଳ ଯୋଗାଣକୁ ବନ୍ଦ କରିଦେଇଥିବା ଇରାନର ଆକ୍ରମଣକୁ ନିନ୍ଦା କରି ଉକ୍ତ ୫ ୟୁରୋପୀୟ ରାଷ୍ଟ୍ର ସହ ଜାପାନ ଏକ ମିଳିତ ବିବୃତି ଜାରି କରିଛନ୍ତି। ବିଶ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଜାହାଜ ଚଳାଚଳ ପଥ ଅଚଳ ହୋଇଥିବାରୁ ଏହି ରାଷ୍ଟ୍ରମାନେ କହିଛନ୍ତି ଯେ ସେମାନେ ଶକ୍ତି ବଜାରରେ ସ୍ଥିରତା ଆଣିବାପାଇଁ ପ୍ରୟାସରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ମିଳିତ ବିବୃତିରେ କୁହାଯାଇଛି ଯେ ହର୍ମୁଜ ପ୍ରଣାଳୀରେ ଜାହାଜ ଚଳାଜଳ ସୁରକ୍ଷିତ କରିବାପାଇଁ ସଠିକ୍ ଉଦ୍ୟମ ଦିଗରେ ଆମର ଅବଦାନ ପାଇଁ ଆମେ ପ୍ରସ୍ତୁତ। ଅଶୋଧିତ ତୈଳ ଏବଂ ଏଲ୍ପିଜି ପାଇଁ ବିଶ୍ବର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପଥ ହେଉଛି ହର୍ମୁଜ ପ୍ରଣାଳୀ। ତେବେ ଇରାନ ଏଠାରେ ଲଗାତାର ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଆକ୍ରମଣ କରୁଥିବାରୁ ଏକ ସଙ୍କଟ ସୃଷ୍ଟି ହୋଇଛି। ଏହି ସଙ୍କଟର ସମାଧାନ ପାଇଁ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ସହଯୋଗର ହାତ ବଢ଼ାଇଛନ୍ତି।




