ଝାଡ଼ଖଣ୍ଡ‌ରେ ଜେପିଏସ୍‌ସି ପରୀକ୍ଷା ବାତିଲ ହେବ

ସିବିଆଇ ତଦନ୍ତ ଦାବିରେ ଅଡ଼ି ବସି‌ଲେ ଛାତ୍ର

ଝାଡ଼ଖଣ୍ଡ‌ରେ ଜେପିଏସ୍‌ସି ପରୀକ୍ଷା ବାତିଲ ହେବ
Samaya Live Desk Picture
Published On

ରାଞ୍ଚି : ରବିବାର ଝାଡ଼ଖଣ୍ଡ ସରକାର ଏବଂ ପ୍ରତିବାଦ କରୁଥିବା ଜେପିଏସ୍‌ସି-ଜେଏସଏସସି ଚାକିରି ଆଶାୟୀଙ୍କ ମଧ୍ୟରେ ବିବାଦ ଆହୁରି ତୀବ୍ର ହୋଇଛି। ଆଲୋଚନାରୁ କୌଣସି ସମାଧାନ ବାହାରି ନଥିବା ବେଳେ ଛାତ୍ରନେତାମାନେ ସିବିଆଇ ତଦନ୍ତ ଘୋଷଣା ନହେବା ପର୍ଯ୍ୟନ୍ତ କୌଣସି ସମଝୋତା କରିବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏବେ ଆନ୍ଦୋଳନକାରୀ ଅଗଷ୍ଟ ୧୦ ତାରିଖରେ ଝାଡ଼ଖଣ୍ଡ ବିଧାନସଭା ଅଭିମୁଖେ ଏକ ବିଶାଳ ପଦଯାତ୍ରା କରିବାକୁ ଆହ୍ୱାନ ଦେଇଛନ୍ତି। ଏଥିରେ ହଜାର ହଜାର ଚାକିରି ଆଶାୟୀ ଯୋଗଦେବାର ଆଶା କରାଯାଉଛି। ସରକାରଙ୍କ ସହ ଏକାଧିକ ପର୍ଯ୍ୟାୟରେ ଆଲୋଚନା ଏବଂ ସରକାରଙ୍କ ପକ୍ଷରୁ ଅନେକ ଦାବି ଗ୍ରହଣ କରାଯାଇଥିଲେ ମଧ୍ୟ ଏହି ଆଲୋଚନା ବିଫଳ ହୋଇଛି। ସରକାର ୧୪ତମ ଜେପିଏସ୍‌ସି ପରୀକ୍ଷା ବାତିଲ କରିବା ଏବଂ ପରୀକ୍ଷାରେ ଅନିୟମିତତାର ତଦନ୍ତ ଆଦେଶ ଦେବା ଏବଂ ନିଯୁକ୍ତି ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ରାଜି ହୋଇଛି। କିନ୍ତୁ ଛାତ୍ରଛାତ୍ରୀ ଏଥିରେ ସନ୍ତୁଷ୍ଟ ହୋଇନାହାନ୍ତି।ସେମାନେ ବିଶେଷ କରି ସିବିଆଇ ତଦନ୍ତ ଏବଂ ସିଜିଏଲ୍‌ ସହ ଅନ୍ୟାନ୍ୟ ଜେଏସଏସସି ପରୀକ୍ଷାରେ ହୋଇଥିବା ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେମାନଙ୍କ ମତରେ ଏହି ଦାବିଗୁଡ଼ିକ ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ସରକାରୀ ପ୍ୟାନେଲ ସହ ବୈଠକ ପରେ ଛାତ୍ରନେତାମାନେ କହିଛନ୍ତି, ‘ଆମେ ଅଗଷ୍ଟ ୧୦ରେ ଝାଡ଼ଖଣ୍ଡ ବିଧାନସଭା ଅଭିମୁଖେ ପଦଯାତ୍ରା କରିବୁ। ସିବିଆଇ ତଦନ୍ତ ଘୋଷଣା ନହେବା ପର୍ଯ୍ୟନ୍ତ ଆମେ କୌଣସି ସମଝୋତା ପାଇଁ ପ୍ରସ୍ତୁତ ନୁହ ବୋଲି ସେମାନେ କହିଛନ୍ତି।

Tags: