ଜନ ବିଶ୍ବାସ ଅଧିନିୟମ ୨୦୨୬ , ବିନା ଟିକଟରେ ରେଳ ଯାତ୍ରା କଲେ ଦି'ଗୁଣା ଫାଇନ

ଭିକ୍ଷାବୃତି ,ଫେରି, ନିଶା ଗ୍ରସ୍ତଙ୍କ ଉପରେ କଟକଣା

ଜନ ବିଶ୍ବାସ ଅଧିନିୟମ ୨୦୨୬ , ବିନା ଟିକଟରେ ରେଳ ଯାତ୍ରା କଲେ ଦି'ଗୁଣା ଫାଇନ
Samaya Live News Picture
Published On

ଭୁବନେଶ୍ୱର: ଜନ ବିଶ୍ବାସ ଅଧିନିୟମ ୨୦୨୬ରେକୁ ରାଷ୍ଟ୍ରପତିଙ୍କ ଅନୁମୋଦନ । ଏଣିକି ବିନା ଟିକେଟ ରେ ରେଳଯାତ୍ରା ପଡିବା ମହଙ୍ଗା । ଦେବାକୁ  ପଡିବ ୨ଗୁଣା ଜୋରିମାନା । ରାଷ୍ଟ୍ରପତିଙ୍କ ସମ୍ମତି ଲାଭ କରିବା ପରେ ଜନ ବିଶ୍ୱାସ ଅଧିନିୟମ, ୨୦୨୬ ଭାରତର ରାଜପତ୍ର (ଗେଜେଟ୍ ଅଫ୍ ଇଣ୍ଡିଆ) ରେ ପ୍ରକାଶିତ ହୋଇଛି ।

ଏହି ଅଧିନିୟମ ଅନ୍ତର୍ଗତ ରେଳପଥ ଅଧିନିୟମ, ୧୯୮୯ର ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ, ରେଳପଥ ଅଧିନିୟମର ଧାରା ୧୩୭ ଅନ୍ତର୍ଗତ ରେଳ ପ୍ରଶାସନକୁ ପ୍ରତାରିତ କରିବା ଉଦ୍ଦେଶ୍ୟରେ ବୈଧ ଟିକଟ କିମ୍ବା ପାସ୍ ନଥାଇ ଯାତ୍ରା କରିବା ବା ଯାତ୍ରା କରିବାକୁ ଚେଷ୍ଟା କରିବା କ୍ଷେତ୍ରରେ ଦେୟ ଥିବା ସର୍ବନିମ୍ନ ଅତିରିକ୍ତ ଶୁଳ୍କ (ଏକ୍ସେସ୍ ଚାର୍ଜ) ରାଶିକୁ ୨୫୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଜୋରିମାନା ଅନାଦାୟ ସମ୍ପୃକ୍ତ ମାମଲାକୁ ସକ୍ଷମ ଅଦାଲତଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇପାରିବ ।

ଧାରା ୧୩୮ ଅନ୍ତର୍ଗତ, ଟିକଟ ନଥାଇ କିମ୍ବା ନିର୍ଦ୍ଧାରିତ ଦୂରତାରୁ ଅଧିକ ଯାତ୍ରା କରିବା କ୍ଷେତ୍ରରେ ସର୍ବନିମ୍ନ ଅତିରିକ୍ତ ଶୁଳ୍କ ମଧ୍ୟ ୨୫୦ଟଙ୍କା ବଦଳରେ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ ଧାରା ୧୪୨ ଅନ୍ତର୍ଗତ ହସ୍ତାନ୍ତରିତ (ଟ୍ରାନ୍ସଫର୍ଡ) ଟିକଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କଠାରୁ ରେଳଭଡ଼ା ସହିତ ସର୍ବନିମ୍ନ ୫୦୦ ଟଙ୍କାର ଅତିରିକ୍ତ ଶୁଳ୍କ ଆଦାୟ କରାଯିବ ।

ଧାରା ୧୪୪ରେ ବିନା ଅନୁମତିରେ ଟ୍ରେନ୍ ପରିସର କିମ୍ବା ଟ୍ରେନ୍ ମଧ୍ୟରେ ଫେରି କରିବା, ସାମଗ୍ରୀ ବିକ୍ରି କରିବା କିମ୍ବା ଭିକ୍ଷାବୃତ୍ତି କରିବା ସମ୍ପର୍କିତ ଦଣ୍ଡବିଧାନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି । ଏଭଳି କ୍ଷେତ୍ରରେ ୨,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରିବ। ବାରମ୍ବାର ନିୟମ ଉଲ୍ଲଘଂନ କଲେ କାରାଦଣ୍ଡ ସହିତ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ମଧ୍ୟ ହୋଇଛି ।

ଧାରା ୧୪୫ ଅନ୍ତର୍ଗତ ନିଶାଗ୍ରସ୍ତ ଅବସ୍ଥାରେ ମିଳିବା, ଯାତ୍ରୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିବା,କୌଣସି ମାଦକ ଉପଦ୍ରବ କିମ୍ବା ଅଶ୍ଳୀଳ କାର୍ଯ୍ୟ କରିବା, ଗାଳିଗୁଲଜ ବା ଅଶ୍ଳୀଳ ଭାଷା ବ୍ୟବହାର ଏବଂ ଟ୍ରେନ୍ କିମ୍ବା ରେଳ ପରିସରରେ ରେଳବାଇ ରେଳପଥ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗରେ ବାଧା ସୃଷ୍ଟି କରିବା ପାଇଁ ୧,୦୦୦ଟଙ୍କା ଜୋରିମାନା କରାଯାଇ ପାରିବ । ଯଦି ଚେତାବନୀ ପରେ ମଧ୍ୟ ଉପଦ୍ରବ ଜାରି ରହେ, ତେବେ ଛଅ ମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା କରାଯାଇଛି ।

ଧାରା ୧୪୬ ଅନ୍ତର୍ଗତ ଜଣେ ରେଳ କର୍ମଚାରୀଙ୍କୁ ତାଙ୍କର ଆଇନଗତ କର୍ତ୍ତବ୍ୟ ସମ୍ପାଦନରେ ବାଧା ସୃଷ୍ଟି କରିବା ସମ୍ପର୍କିତ ଦଣ୍ଡବିଧାନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି ଏବଂ ନିର୍ଦ୍ଧାରିତ ଜୋରିମାନା ରାଶିକୁ ବୃଦ୍ଧି କରାଯାଇଛି।

ଧାରା ୧୪୭ ଅନ୍ତର୍ଗତ ଅନଧିକୃତ ପ୍ରବେଶ, ଯାତ୍ରୀ ଅଞ୍ଚଳ କିମ୍ବା ଅନ୍ୟାନ୍ୟ ରେଳ ପରିସର ମଧ୍ୟକୁ ବେଆଇନ ଭାବେ ପ୍ରବେଶ କରିବା କିମ୍ବା ପରିସର ଛାଡ଼ିବାକୁ ମନା କରୁଥିବା ବ୍ୟକ୍ତିଙ୍କ ଉପରେ ୫୦୦ ଟଙ୍କା ଜୋରିମାନା କରାଯାଇ ପାରିବ। ଗୁରୁତର କିମ୍ବା ବାରମ୍ବାର ଘଟୁଥିବା ମାମଲାରେ କାରାଦଣ୍ଡ ଏବଂ ୫,୦୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ରହିଛି।

ଧାରା ୧୫୫ରେ ରେଳ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନିୟମ ଉଲ୍ଲଘଂନ ସମ୍ପର୍କିତ ମାମଲାରେ ଜୋ ରିମାନା ରାଶି ସଂଶୋଧନ କରାଯାଇଛି। ଉପ-ଧାରା (୧) ଅନ୍ତର୍ଗତ ୨,୦୦୦ ଟଙ୍କା ଏବଂ ଉପ-ଧାରା (୨) ଅନ୍ତର୍ଗତ ୧,୦୦୦ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି। ପୈଠ ନ କରିପାରିଲେ, ସକ୍ଷମ ଅଦାଲତଙ୍କ ଦ୍ୱାରା ୩,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇ ପାରିବ।

ଧାରା ୧୬୨ ଅନୁଯାୟୀ, କୌଣସି ବୈଧ କାରଣ ନଥାଇ ମହିଳାଙ୍କ ପାଇଁ ସଂରକ୍ଷିତ କମ୍ପାର୍ଟମେଣ୍ଟ, କୋଚ୍, ବର୍ଥ, ସିଟ୍ କିମ୍ବା ଅନ୍ୟାନ୍ୟ ସ୍ଥାନରେ ପ୍ରବେଶ କରୁଥିବା ବା ସେଠାରେ ରହୁଥିବା ବ୍ୟକ୍ତିଙ୍କୁ ୨,୫୦୦ ଟଙ୍କା ଜୋରିମାନା କରାଯିବ। ଜଣେ ରେଳ କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ସେଠାରୁ ବହିଷ୍କାର କରାଯାଇ ପାରିବ। ଜୋରିମାନା ପୈଠ ନକରି ପାରିଲେ ସକ୍ଷମ ଅଦାଲତଙ୍କ ଦ୍ୱାରା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କରାଯାଇପାରିବ।

ଧାରା ୧୬୩ରେ ରେଳପଥ ଦ୍ୱାରା ପରିବହନ କରାଯାଉଥିବା ସାମଗ୍ରୀ ସମ୍ପର୍କିତ ଦଣ୍ଡବିଧାନ ବ୍ୟବସ୍ଥାରେ ସଂଶୋଧନ କରାଯାଇଛି ଏବଂ ଜୋରିମାନା ରାଶି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରାଯିବା ନେଇ ବ୍ୟବସ୍ଥା କରାଯାଇଛି।

ଧାରା ୧୬୫ ଅନ୍ତର୍ଗତ ପରିବହନ ପାଇଁ ରେଳପଥକୁ ଆପତ୍ତିଜନକ କିମ୍ବା ନିଷିଦ୍ଧ ସାମଗ୍ରୀ ଆଣିବା ବା ପ୍ରଦାନ କରିବା କ୍ଷେତ୍ରରେ ସର୍ବନିମ୍ନ ୧୦,୦୦୦ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଛି। ଏହାବ୍ୟତୀତ ସମ୍ପୃକ୍ତ ବ୍ୟକ୍ତି ରେଳପଥର ହୋଇଥିବା କୌଣସି ବି କ୍ଷୟକ୍ଷତି ପାଇଁ ଦାୟୀ ରହିବେ। ପୈଠ କରିବାକୁ ମନା କଲେ, ଏକ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ସର୍ବନିମ୍ନ ୧୦,୦୦୦ ଟଙ୍କା ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା କରାଯାଇଛି।

ଧାରା ୧୬୬କୁ ସଂଶୋଧନ କରି, ପ୍ରଥମଥର ନିୟମ ଉଲ୍ଲଘଂନ ପାଇଁ ୨,୦୦୦ ଟଙ୍କା ଜୋରିମାନା ଧାର୍ଯ୍ୟ କରାଯାଇଥିବା ବେଳେ, ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଅପରାଧ ପାଇଁ ଏକ ମାସ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା କିମ୍ବା ଉଭୟ ଦଣ୍ଡର ବ୍ୟବସ୍ଥା କରାଯାଇଛି।

 

 

Tags: