ଜୟପୁରରେ ବିଜେପି ବିଧାୟକଙ୍କ ଘରୁ ନଗଦ ଟଙ୍କା ଓ ଅଳଙ୍କାର ଚୋରି
ଜୟପୁର : ରାଜସ୍ଥାନ ରାଜଧାନୀ ଜୟପୁରରେ ବରିଷ୍ଠ ବିଜେପି ବିଧାୟକ ତଥା ପୂର୍ବତନ ରାଜସ୍ଥାନ ମନ୍ତ୍ରୀ ପ୍ରତାପ ସିଂହ ସିଂହଭିଙ୍କ ଘରେ ଚୋରି ହୋଇଛି। ଅକ୍ଟୋବର ୨୯, ଗୁରୁବାର ଭୋର୍ ସମୟରେ ଜଣେ ଅଜଣା ବ୍ୟକ୍ତି ରୋଷେଇ ଘରର ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ ଏବଂ ପ୍ରାୟ ଏକ ଘଣ୍ଟା ଧରି ଘର ଭିତରେ ରହିଥିଲେ। ଗୁରୁବାର ପୁଲିସ କହିଛି ଯେ, ଚୋର ଜଣକ ନଗଦ ଟଙ୍କା ଓ ଅଳଙ୍କାର ନେଇ ଫେରାର ହୋଇଯାଇଛି। ଏହି ଘରଟି ରାଜଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଅବସ୍ଥିତ। ଏହା ଏକ ଉଚ୍ଚ ସୁରକ୍ଷାବଳୟ ମଧ୍ୟରେ ଥିବା ଅଞ୍ଚଳ। ଘଟଣା ସମୟରେ ଘର ଭିତରେ ପରିବାରର ୧୦ରୁ ଅଧିକ ସଦସ୍ୟ ଶୋଇଥିଲେ। ଚୋର ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ଏବଂ ନକଲି ଅଳଙ୍କାର ଚୋରି କରି ନେଇଥିବା ଜଣାପଡ଼ିଛି।ଘଟଣାସ୍ଥଳରେ ଏକ ଫରେନ୍ସିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ଦକ୍ଷିଣ ଜୟପୁରର ଡିସିପି ରାଜର୍ଷି ରାଜ କହିଛନ୍ତି ଯେ, ଘଟଣାର ସିସିଟିିଭି ଫୁଟେଜ୍ ଯାଞ୍ଚ କରାଯାଉଛି ଏବଂ ଅଭିଯୁକ୍ତକୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଯେ ଅଭିଯୁକ୍ତ ଘର ସମ୍ପର୍କରେ ପୂର୍ବରୁ ଅବଗତ ଥିଲା। ବାରାନ ଜିଲ୍ଲାର ଛାବ୍ରା ନିର୍ବାଚନମଣ୍ଡଳୀରୁ ସାତ ଥର ବିଧାୟକ ନିର୍ବାଚିତ ହୋଇଥିବା ସିଂହଭି ଘଟଣା ସମୟରେ ପଞ୍ଚାୟତ ନିର୍ବାଚନ ପାଇଁ ନିଜ ନିର୍ବାଚନମଣ୍ଡଳୀରେ ଥିଲେ।




