ଅନନ୍ତନାଗରେ ଆତଙ୍କବାଦୀ ଗୁଳିମାଡ଼ରେ ଜଣେ ଯବାନ ସହିଦ

ଅନନ୍ତନାଗରେ ଆତଙ୍କବାଦୀ ଗୁଳିମାଡ଼ରେ ଜଣେ ଯବାନ ସହିଦ
Samaya Live Desk Picture
Published On

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗରେ ବୁଧବାର ଜଣେ ଆତଙ୍କବାଦୀର ଗୁଳିମାଡ଼ରେ ଜମ୍ମୁ-କାଶ୍ମୀର ପୁଲିସର ଜଣେ କନଷ୍ଟେବଳ ସହିଦ ହୋଇଯାଇଛନ୍ତି। ଗତ ବର୍ଷର ପହଲଗାମ ଆକ୍ରମଣ ପରେ କାଶ୍ମୀର ଉପତ୍ୟକାରେ ଏହା ପ୍ରଥମ ବଡ଼ ଆତଙ୍କବାଦୀ ଘଟଣା ବୋଲି ମନେ କରାଯାଉଛି। ସହିଦ ପୁଲିସ କର୍ମଚାରୀଙ୍କ ପରିଚୟ ଆଶିକ ହୁସେନ କୁରେଶୀ (୩୫) ବୋଲି ଜଣାପଡ଼ିଛି। ସେ ଇଣ୍ଡିଆ ରିଜର୍ଭ (ଆଇଆର୍‌)ର ତୃତୀୟ ବାଟାଲିଅନ୍‌ରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ ଏବଂ ବଡ଼ଗାମ ଜିଲ୍ଲାର ବାସିନ୍ଦା ଥିଲେ। ସରକାରୀ ସୂତ୍ର ଅନୁଯାୟୀ, ଅନନ୍ତନାଗର ଲାଲ ଚକ ନିକଟରେ କୁରେଶୀ ପାଟ୍ରୋଲିଂ ଡ୍ୟୁଟିରେ ଥିବାବେଳେ ଏହି ଆକ୍ରମଣ ହୋଇଥିଲା। ଏକ ମୋଟରସାଇକେଲରେ ଆସିଥିବା ଆତଙ୍କବାଦୀ ତାଙ୍କ ଉପରେ ଗୁଳି ଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଗୁଳିର ଶବ୍ଦରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଗୁରୁତର ଆହତ ଅବସ୍ଥାରେ କୁରେଶୀଙ୍କୁ ତୁରନ୍ତ ଅନନ୍ତନାଗ ସରକାରୀ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ହସ୍ପିଟାଲରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ନିୟମ ଅନୁଯାୟୀ ମେଡିକୋ-ଲିଗାଲ ପ୍ରକ୍ରିୟା ଚାଲିଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ବ୍ୟାପକ ତଲାସି ଓ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରିଛି। ଅତିରିକ୍ତ ସୁରକ୍ଷା ବଳ ଘଟଣାସ୍ଥଳକୁ ପଠାଯାଇଛି ଏବଂ ପ୍ରମୁଖ ରାସ୍ତାଗୁଡ଼ିକରେ ଯାଞ୍ଚ କରାଯାଇଛି। ଆକ୍ରମଣକାରୀଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ବୋଲି ଅଧିକାରୀମାନେ କହିଛନ୍ତି। ଅପରେସନ୍ ସିନ୍ଦୂର ପରେ ସମଗ୍ର କେନ୍ଦ୍ରଶାସିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ଏହି ଆକ୍ରମଣ ଘଟିଛି। ଆକ୍ରମଣର ପଛର ଉଦ୍ଦେଶ୍ୟ କ’ଣ ରହିଛି ତାହାର ତଦନ୍ତ ଚାଲିଛି। ଉଲ୍ଲେଖଯୋଗ୍ୟ ଗତ ବର୍ଷ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାର ପ୍ରତିକ୍ରିୟାରେ ଭାରତ ଅପରେସନ୍ ସିନ୍ଦୂର ନାମରେ ଏକ ବୃହତ୍ ଆତଙ୍କବାଦ ବିରୋଧୀ ଅଭିଯାନ ଆରମ୍ଭ କରି ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମିକୁ ମାଟିରେ ମିଶାଇ ଦେଇଥିଲା।

Tags: