ଇରାନର ବାୟୁ ପ୍ରତିରକ୍ଷା‌ ବ୍ୟବସ୍ଥା ଆମେ ଧ୍ବଂସ କରିଦେଇଛୁ : ହେଗସେଥ

ଇରାନର ବାୟୁ ପ୍ରତିରକ୍ଷା‌ ବ୍ୟବସ୍ଥା ଆମେ ଧ୍ବଂସ କରିଦେଇଛୁ  : ହେଗସେଥ
Samaya Live Desk Picture
Published On

ୱାସିଂଟ: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆଜି ୨୧ ଦିନରେ ପହଞ୍ଚିଥିବା ବେଳେ ଏହା ଏବେ ଏକ ସମ୍ପୂର୍ଣ୍ଣ ତୈଳଯୁଦ୍ଧରେ ପରିଣତ ହୋଇଛି। ଆଜି ଆମେରିକା ପ୍ରତିରକ୍ଷା ସଚିବ ପିଟ ହେଗସେଥ କହିଛନ୍ତି, ଇରାନ ପୁଣିଥରେ ସବୁଠାରୁ ଭୟଙ୍କର ଆକ୍ରମଣ ଦେଖିବ। ସେ କହିଛନ୍ତି, ଏବେ ଚାଲିଥିବା ଉପସାଗରୀୟ ଯୁଦ୍ଧ ଆମେରିକାର ସର୍ତ୍ତ ଅନୁଯାୟୀ ଶେଷ ହେବ ଏବଂ ଏହି ମିସନ ଶେଷ କରିବାପାଇଁ ଆମେରିକା ପ୍ରତିବଦ୍ଧ। ଆମେରିକା ପ୍ରତିରକ୍ଷା ସଚିବ କହିଛନ୍ତି, ଜାରି ରହିଥିବା ଯୁଦ୍ଧରେ ଆମେରିକା ସେନା ଏଯାବତ ଇରାନରେ ୭ ହଜାରରୁ ଅଧିକ ଟାର୍ଗେଟ୍‌ ଉପରେ ଆକ୍ରମଣ କରିଛି ଏବଂ ୨୪ ଘଣ୍ଟା ମଧ୍ୟରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ ଦେଖିବ। ହେଗସେଥ କହିଛନ୍ତି, ଆମ ସାମର୍ଥ୍ୟ ଲଗାତାର ବଢ଼ିବାରେ ଚାଲିଛି ଏବଂ ଇରାନର ସାମର୍ଥ୍ୟ ଦୁର୍ବଳ ହେବାରେ ଲାଗିଛି। ଇରାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଧ୍ବଂସ ହୋଇଯାଇଛି ବୋଲି ସେ ଦାବି କରିଛନ୍ତି। ଖାର୍ଗ ଦ୍ବୀପରେ ଇରାନର ସାମରିକ ପ୍ରତିଷ୍ଠାନ ଉପରେ ଆକ୍ରମଣ ଦ୍ବାରା ଇରାନର ନିୟନ୍ତ୍ରଣ ଆମେରିକା ହାତକୁ ଆସିଛି।   ହେଗସେଥ ମଧ୍ୟ କହିଛନ୍ତି ଯେ ଇରାନରେ ଆମେରିକାର ଲକ୍ଷ୍ୟ ପ୍ରଥମ ଦିନରୁ ହିଁ ଅପରିବର୍ତ୍ତିତ ରହିଛି। ସବୁକିଛି ଯୋଜନା ମୁତାବକ ଚାଲିଛି ବୋଲି ସେ କହିଛନ୍ତି। ହେଗସେଥ ଦାବି କରିଛନ୍ତି ଯେ ଯୁଦ୍ଧର ପ୍ରଥମ ଦିନରୁ ଇରାନ ଯେଉଁଭଳି ବାଲିଷ୍ଟିକ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଛାଡ଼ିଥିଲା ଏବେ ତାହା ୯୦ ପ୍ରତିଶତ କମି ଯାଇଛି। ଆମେରିକା ଇରାନର ୧୨୦ ନୌସେନା ଜାହାଜକୁ ବୁଡ଼ାଇ ଦେଇଥିବା  ସେ ଦାବି କରିଛନ୍ତି।

Tags: