ଘନ ଘନ ଆକ୍ରମଣରେ ଥରୁଛି ଦୁବାଇ
ତେହେରାନ : ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଅତି ଭୟଙ୍କର ପର୍ଯ୍ୟାୟରେ ପହଞ୍ଚିଛି। ଆମେରିକା ଓ ଇସ୍ରାଏଲ ଉପରେ ଇରାନ ପ୍ରତିଶୋଧ ନେବାରେ ଲାଗିଛି। ଆମେରିକା ଘାଟିକୁ ଟାର୍ଗେଟ୍ କରି ଇରାନ ଏବେ ଦୁବାଇରେ ଘନ ଘନ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରୁଛି। ଦୁବାଇର ଆର୍ଥିକ କେନ୍ଦ୍ରରେ ଥିବା ଏକ କୋଠା ଉପରେ ପୁଣି ଥରେ କ୍ଷେପଣାସ୍ତ୍ରର ଭଗ୍ନାବଶେଷ ପଡ଼ିଛି। ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦୁବାଇରେ ଏହା ଦ୍ୱିତୀୟ ଆକ୍ରମଣ। ଏଥିରେ କୌଣସି ଅଗ୍ନିକାଣ୍ଡ ଘଟି ନାହିଁ କିମ୍ବା କେହି ମୃତାହତ ହୋଇଥିବାର ରିପୋର୍ଟ ମିଳି ନାହିଁ। ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି ଦୁବାଇ ମିଡିଆ ଅଫିସ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛି।
ଇରାକର ରାଜଧାନୀ ବାଗଦାଦ୍ରେ ଥିବା ଆମେରିକୀୟ ଦୂତାବାସ ଉପରେ ଇରାନ ଏକ କ୍ଷେପଣାସ୍ତ୍ର ମାଡ଼ କରିଛି। ଦୁଇ ଜଣ ଇରାକୀ ସୁରକ୍ଷା ଅଧିକାରୀ କହିଛନ୍ତି,ବାଗଦାଦ୍ରେ ଥିବା ଆମେରିକୀୟ ଦୂତାବାସ ପରିସର ଭିତରେ ଏକ ହେଲିପ୍ୟାଡ୍ରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଛି। ତେବେ ଏନେଇ ବାଗଦାଦ୍ରେ ଥିବା ଆମେରିକୀୟ ଦୂତାବାସ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ଶୁକ୍ରବାର ଦୂତାବାସ ଇରାକ ପାଇଁ ସ୍ତର-୪ ସୁରକ୍ଷା ସତର୍କତା ଜାରି କରିଥିଲା। ଏଥିରେ ଚେତାବନୀ ଦିଆଯାଇଥିଲା ଯେ ଇରାନ ତଥା ଇରାନ-ସମର୍ଥିତ ମିଲିସିଆ ଗୋଷ୍ଠୀଗୁଡ଼ିକ ପୂର୍ବରୁ ଆକ୍ରମଣ କରିଥିବା ଆମେରିକୀୟ ଭିତ୍ତିଭୂମିକୁ ପୁଣି ଥରେ ଟାର୍ଗେଟ କରିପାରନ୍ତି।



