ଓମାନ ଉପକୂଳରେ ଜାହାଜ ଉପରେ ଆକ୍ରମଣ, ଭାରତୀୟ ନାବିକଙ୍କ ମୃତ୍ୟୁ

ଓମାନ ଉପକୂଳରେ ଜାହାଜ ଉପରେ ଆକ୍ରମଣ, ଭାରତୀୟ ନାବିକଙ୍କ ମୃତ୍ୟୁ
Samaya Live Desk Picture
Published On

ନୂଆଦିଲ୍ଲୀ: ଓମାନ ଉପକୂଳ ନିକଟରେ ଏକ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି। ସୋମବାର ସନ୍ଧ୍ୟାରେ ଓମାନର ଲିମାହ ନିକଟରେ ଏହି ଘଟଣା ଘଟିଛି। ଘଟଣାକୁ ଭାରତ ସରକାର ତୀବ୍ର ନିନ୍ଦା କରିବା ସହ ଏହି ଅଞ୍ଚଳରେ ଉତ୍ତେଜନା ହ୍ରାସ ଓ ସାମୁଦ୍ରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ଆହ୍ୱାନ ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ‘ଏମ୍‌ଏସ୍‌ଭି ଅଲ୍‌ ଜୁସୁଫି’ ନାମକ ଏହି ଜାହାଜରେ ୧୪ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଆହତ ହୋଇଥିବା ଅନ୍ୟ ଜଣେ ନାବିକଙ୍କ ମୃତ୍ୟୁ ହୋଇଛି। ଓମାନରେ ଥିବା ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିବା ସହ ଉଦ୍ଧାର ହୋଇଥିବା ନାବିକମାନଙ୍କୁ ଶୀଘ୍ର ସ୍ୱଦେଶ ଫେରାଇ ଆଣିବା ଏବଂ ମୃତକଙ୍କ ମରଶରୀର ଭାରତକୁ ଆଣିବା ପାଇଁ ଓମାନ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରଖିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ବାରମ୍ବାର ଆକ୍ରମଣ ଘଟଣାକୁ ଭାରତ ଗଭୀର ଉଦ୍‌ବେଗଜନକ ବୋଲି କହିଛି। ଆନ୍ତର୍ଜାତିକ ଜଳପଥରେ ଜାହାଜ ଚଳାଚଳ ଓ ବାଣିଜ୍ୟକୁ ସୁରକ୍ଷିତ ଏବଂ ବାଧାମୁକ୍ତ କରିବା ସହ କୂଟନୈତିକ ଆଲୋଚନା ମାଧ୍ୟମରେ ଶାନ୍ତି ଫେରାଇ ଆଣିବାକୁ ଭାରତ ଆହ୍ୱାନ ଦେଇଛି।

Tags: