ଭାରତୀୟ ସେନାରେ ହେବ ସ୍ବଦେଶୀକରଣ , ହଟିବ 'ଇଂଗ୍ରେଜୀ' ଚିହ୍ନ

ଭାରତୀୟ ସେନାରେ ହେବ ସ୍ବଦେଶୀକରଣ , ହଟିବ 'ଇଂଗ୍ରେଜୀ' ଚିହ୍ନ
Samaya Live News Picture
Published On

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାରେ ହେବ ବଡ଼ ପରିବର୍ତ୍ତନ । ଇଂରେଜ ସମୟର ଚିହ୍ନଗୁଡ଼ିକୁ ହଟାଇ ଭାରତୀୟ ସେନା ୟୁନିଫର୍ମ ଏବଂ ସାମରିକ ପରମ୍ପରାରେ ବଡ଼ ପରିବର୍ତ୍ତନ କରିଛି । 'ଆର୍ମି ୟୁନିଫର୍ମ-୨୦୨୬' ପୁସ୍ତକରେ ଭାରତୀୟ ପରିଚୟ ଏବଂ ଆଧୁନିକ ଚିନ୍ତାଧାରା ଅନୁଯାୟୀ ଅନେକ ନୂଆ ନିୟମ ସାମିଲ କରାଯାଇଛି। ଏଥିରେ ଖଣ୍ଡା (ତଲବାର) ର ବ୍ୟବହାର, ଡ୍ରେସ କୋଡ୍, ମହିଳା ଅଧିକାରୀଙ୍କ ପାଇଁ ନିୟମ ଏବଂ ବ୍ୟକ୍ତିଗତ ସାଜସଜ୍ଜା ସହ ଜଡ଼ିତ ପରିବର୍ତ୍ତନ ପ୍ରମୁଖ ଅଟେ, ଯାହା ସେନାକୁ ଅଧିକ ଭାରତୀୟ ଏବଂ ସମସାମୟିକ କରିବ। 

ଦୀର୍ଘ ୮ ବର୍ଷ ପରେ ସେନାର ପୋଷାକ ନିୟମରେ ବ୍ୟାପକ ସଂଶୋଧନ କରାଯାଇ ‘ଆର୍ମି ୟୁନିଫର୍ମ-୨୦୨୬ ନାମରେ ଏକ ୧୭୪ ପୃଷ୍ଠାର ନୂଆ ମାନୁଆଲ୍ ଜାରି କରାଯାଇଛି । ଏହି ନୂଆ ନିୟମର ମୂଳ ଉଦ୍ଦେଶ୍ୟ ହେଉଛି ଭାରତୀୟ ସେନାର ମର୍ଯ୍ୟାଦା ଓ ପରମ୍ପରାକୁ ବଜାୟ ରଖିବା ସହ ବ୍ରିଟିଶ ବା ଔପନିବେଶିକ ସମୟର କେତେକ ପୁରୁଣା ପ୍ରଥାକୁ ହଟାଇ ସେଥିରେ ଭାରତୀୟତାର ସ୍ପର୍ଶ ଦେବା । ଏବେ ସେନାର ଅଧିକାରୀମାନେ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସ୍ୱଦେଶୀ ଶୈଳୀର ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ ପିନ୍ଧିପାରିବେ । ଏହାକୁ ଫୁଲ୍-ସ୍ଲିଭ୍ ସାର୍ଟ ଉପରେ ଢ଼ିଲା କିମ୍ବା ହୁକ୍ ଲଗାଇ ଫର୍ମାଲ୍ ପ୍ୟାଣ୍ଟ ଓ ଜୋତା ସହ ପିନ୍ଧାଯାଇପାରିବ । ମେସ୍ ଡ୍ରେସ୍ ଭଳି କେତେକ ନିର୍ଦ୍ଦିଷ୍ଟ ପୋଷାକରୁ ବ୍ରିଟିଶ ଅମଳର ପାରମ୍ପରିକ ସେରିମୋନିଆଲ୍ ପାଉଚ୍ ବେଲ୍ଟକୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇଛି ।

ପରେଡ୍ ସମୟରେ ରିଭ୍ୟୁଇଂ ଅଫିସରଙ୍କ ପାଇଁ ତରବାରୀ ଧରିବା ଆଉ ବାଧ୍ୟତାମୂଳକ ହୋଇ ରହିବ ନାହିଁ । ଏହା ସମ୍ପୂର୍ଣ୍ଣ ଭାବେ ଅଫିସରଙ୍କ ଇଚ୍ଛା ଉପରେ ନିର୍ଭର କରିବ । ସମସ୍ତ ପାହ୍ୟାର ସୈନିକ ଓ ଅଧିକାରୀଙ୍କ ପାଇଁ ଏକ ନୂଆ ୱିଣ୍ଟର ୟୁନିଫର୍ମ ଅଣାଯାଇଛି । ଯେଉଁଥିରେ ଆଙ୍ଗୋଲା ସାର୍ଟ, ବ୍ୟାଟେଲ୍ ଜ୍ୟାକେଟ୍ ଏବଂ ବେରେଟ୍ ସାମିଲ ରହିଛି । ଏହି ମାନୁଆଲରେ ସ୍ପଷ୍ଟ କରାଯାଇଛି ଦେଶର ଭାବନା ଏବଂ ଆମର ସାର୍ବଭୌମ ପରିଚୟକୁ ସମ୍ମାନ ଜଣାଇ ଏହି ପରିବର୍ତ୍ତନ କରାଯାଇଛି । ଏହା ସେନାର ବୃତ୍ତିଗତ ମର୍ଯ୍ୟାଦା ଓ ପାରମ୍ପରିକ ଅସ୍ମିତାକୁ କ୍ଷୁର୍ଣ୍ଣ ନକରି ଅଦରକାରୀ ବ୍ରିଟିଶ ଚିହ୍ନକୁ ଦୂରେଇବାରେ ସାହାଯ୍ୟ କରିବ ।

ସେନା କେତେକ ମ୍ୟାସ୍ ଡ୍ରେସ୍ (Mess Dress) ସହ ବ୍ୟବହାର ହେଉଥିବା ପାଉଚ୍ ବେଲ୍ଟ (Pouch Belt) କୁ ମଧ୍ୟ ହଟାଇ ଦେଇଛି। ଏହା ବ୍ୟତୀତ ‘ରୟାଲ’ ଭଳି ଔପନିବେଶିକ ଶାସନ କାଳର ଶବ୍ଦଗୁଡ଼ିକର ବ୍ୟବହାର ବନ୍ଦ କରାଯାଇଛି।

ସେହିପରି ,ମହିଳା ଅଧିକାରୀମାନଙ୍କ ପାଇଁ ମଧ୍ୟ ନୂଆ ଡ୍ରେସ୍ ନିୟମ ପ୍ରସ୍ତୁତ କରାଯାଇଛି। ସେମାନେ ସାଧା ରଙ୍ଗର ଶାଢ଼ୀ ପିନ୍ଧିପାରିବେ। ଦୋପଟ୍ଟା ସହିତ କୁର୍ତ୍ତା-ସାଲୱାର୍ ଏବଂ ଆଙ୍କଲ୍-ଲେନ୍ଥ ଷ୍ଟ୍ରେଟ୍ ପ୍ୟାଣ୍ଟ୍ (Ankle-length straight pants) ପିନ୍ଧିବାକୁ ଅନୁମତି ମିଳିବ, କିନ୍ତୁ ସ୍ଲିଭ୍ଲେସ୍ କୁର୍ତ୍ତା, ପ୍ଲାଜୋ ଏବଂ ସିଗାରେଟ୍ ପ୍ୟାଣ୍ଟ୍ ପିନ୍ଧିବାକୁ ଅନୁମତି ମିଳିବ ନାହିଁ। ସେନାରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଶରୀରରେ ଟାଟୁ, ଅତ୍ୟଧିକ ସୁଗନ୍ଧିତ ସେଣ୍ଟ କିମ୍ବା ପ୍ରସାଧନ ସାମଗ୍ରୀ ଯେପରିକି ଲିପଷ୍ଟିକ୍, ରଙ୍ଗୀନ ନେଲପଲିସ, ଟିକିଲି ଏବଂ ନାକଫୁଲ ପିନ୍ଧିବା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହାସହ ମହିଳାମାନେ ସିନ୍ଦୁର ଲଗାଇପାରିବେ, କିନ୍ତୁ ଟୋପି ପିନ୍ଧିବା ସମୟରେ ତାହା ଯେପରି ବାହାରକୁ ଦେଖା ନଯାଏ, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । 

ପ୍ରାୟ ୫ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର କେଭାଡିଆଠାରେ ଆୟୋଜିତ କମାଣ୍ଡର୍ସ କନଫରେନ୍ସରେ ସେନାକୁ ବ୍ରିଟିଶ୍ ଅମଳର ପରମ୍ପରା ଏବଂ ନିୟମଗୁଡ଼ିକୁ ହଟାଇ ଭାରତୀୟ ପରମ୍ପରା ଆପଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Tags: