ଭାରତ-ବାଂଲାଦେଶ ଭିସା ସେବା ଖୁବ୍‌ ଶୀଘ୍ର ଆରମ୍ଭ ହେବ

ଭାରତ-ବାଂଲାଦେଶ ଭିସା ସେବା ଖୁବ୍‌ ଶୀଘ୍ର ଆରମ୍ଭ ହେବ
Samaya Live Desk Picture
Published On

ନୂଆଦିଲ୍ଲୀ: ବାଂଲାଦେଶରେ ନୂଆ ସରକାର ଗଠନ ହେବାପରେ ଏବଂ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବେ କ୍ଷମତାକୁ ଆସିବା ପରେ ଭାରତ ଖୁବ୍‌ ଶୀଘ୍ର ଢାକା ସହ ବନ୍ଦ ଥିବା ଭିସା ସେବା ଆରମ୍ଭ କରିବାକୁ ଯାଉଛି। ଗୁରୁବାର ସିଲହଟ୍‌ସ୍ଥିତ ଭାରତର ବରିଷ୍ଠ କନସୁଲାର ଅଧିକାରୀ ଅନିରୁଦ୍ଧ ଦାସ ଏନେଇ ସୂଚନା ଦେଇଛନ୍ତି। ବର୍ତ୍ତମାନ ମେଡିକାଲ୍ ଏବଂ ଡବଲ୍-ଏଣ୍ଟ୍ରି ଭିସା ଜାରି କରାଯାଉଛି। ଖୁବ୍‌ଶୀଘ୍ର ଟ୍ରାଭେଲ ଭିସା ସହିତ ସମସ୍ତ ଭିସା ସେବା ସମ୍ପୂର୍ଣ୍ଣ ପୁନଃସ୍ଥାପିତ କରିବା ପାଇଁ ପ୍ରୟାସ ଜାରି ରହିଥିବା ସେ କହିଛନ୍ତି। ସିଲହଟରେ ଥିବା ଭାରତୀୟ ସହାୟକ ଉଚ୍ଚାୟୁକ୍ତ ମଧ୍ୟ ଭିସା ସୁବିଧା ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ​​କରିବା ପାଇଁ ସର୍ବାଧିକ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି। ଭାରତ-ବାଂଲାଦେଶ ସମ୍ପର୍କ ପାରସ୍ପରିକ ସମ୍ମାନ ଉପରେ ଆଧାରିତ ବୋଲି ସେ କହିଛନ୍ତି। ଉଭୟ ଦେଶର ଲୋକମାନେ ସ୍ଥିର, ସକାରାତ୍ମକ, ଗଠନମୂଳକ, ଦୀର୍ଘକାଳୀନ ଏବଂ ପାରସ୍ପରିକ ଲାଭଦାୟକ ସମ୍ପର୍କରେ ପ୍ରମୁଖ ଅଂଶୀଦାର ହେବେ। ଉଭୟ ଦେଶ ସମାନ ଆଭିମୁଖ୍ୟ ପ୍ରଦର୍ଶନ କରନ୍ତି ଓ ଏକାଠି କାମ କରିବାକୁ ଚାହାନ୍ତି। ସୂଚନାଯୋଗ୍ୟ, ଛାତ୍ର ନେତା ସରିଫ ଓସମାନ୍‌ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟ‌ରେ ସମ୍ପର୍କ ଅଧିକ ଖରାପ ହୋଇଥିଲା। ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଭାରତ ବିରୋଧୀ ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ଏହାପରେ ଭାରତ ଏହାର ଭିସା ସେଣ୍ଟର ବନ୍ଦ କରିଦେଇଥିଲା। ବାଂଲାଦେଶ ମଧ୍ୟ ଭାରତୀୟ ନାଗରିକଙ୍କୁ ଭିସା ପ୍ରଦାନରେ କଟକଣା ଲଗାଇଥିଲା। କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ଥିବା ଏହାର ମିସନ ଅଫିସରେ ବାଂଲାଦେଶ ବ୍ୟବସାୟ ଏବଂ ନିଯୁକ୍ତି ଭିସା ବ୍ୟତୀତ ଅନ୍ୟ ସମସ୍ତ ଶ୍ରେଣୀର ଭିସା ପ୍ରଦାନ କରିବା ବନ୍ଦ କରିଦେଇଥିଲା।

Tags: