ବିଶ୍ବ ଖୁସି ରିପୋର୍ଟ ୨୦୨୬, ଲଗାତାର ନବମ ଥର ପାଇଁ ଫିନଲାଣ୍ଡ ଶୀର୍ଷରେ
ଆଫଗାନିସ୍ତାନ ସବୁଠୁ କମ୍ ଖୁସି ରାଷ୍ଟ୍ର. ୧୧୬ ସ୍ଥାନରେ ଭାରତ
ନୂଆଦିଲ୍ଲୀ: ଅତ୍ୟଧିକ ସୋସିଆଲ ମିଡିଆର ବ୍ୟବହାର ଯୋଗୁ ଯୁବପିଢ଼ିଙ୍କ ଖୁସିରେ ବାଧା ଉପୁଜିଛି। ଇଂରାଜି ଭାଷାଭାଷୀ ରାଷ୍ଟ୍ରର ତରୁଣୀମାନେ ଏବଂ ବିଶେଷ କରି ପଶ୍ଚିମ ୟୁରୋପ ଏଥିପାଇଁ ବ୍ୟାପକ ଭାବେ ପ୍ରଭାବିତ । ବିଶ୍ବ ଖୁସି ରିପୋର୍ଟ ୨୦୨୬ ଏହି ସୂଚନା ପ୍ରଦାନ କରିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ୱେଲବିଙ୍ଗ ରିସର୍ଚ୍ଚ ସେଣ୍ଟର ଦ୍ବାରା ପ୍ରକାଶିତ ଏହି ବାର୍ଷିକ ଅଧ୍ୟୟନରେ ଫିନଲାଣ୍ଡକୁ ଲଗାତାର ନବମ ବର୍ଷ ପାଇଁ ବିଶ୍ବର ସବୁଠାରୁ ଖୁସି ରାଷ୍ଟ୍ର ଭାବେ ଦର୍ଶାଯାଇଛି। ଅର୍ଥାତ ବିଶ୍ବ ଖୁସି ରାଷ୍ଟ୍ର ତାଲିକାର ଫିନଲାଣ୍ଡ ସବୁଠୁ ଶୀର୍ଷରେ ରହିଛି। ଏହି ତାଲିକାର ଶୀର୍ଷରେ ଥିବା ଅନ୍ୟ ନୋର୍ଡିକ ରାଷ୍ଟ୍ରମାନେ ହେଉଛନ୍ତି ଆଇସଲାଣ୍ଡ, ଡେନମାର୍କ, ସ୍ବିଡେନ ଏବଂ ନରୱେ। ଅନ୍ୟପକ୍ଷେ ଯୁଦ୍ଧ ଏବଂ ସଂଘର୍ଷ ଯୋଗୁ ପ୍ରଭାବିତ ରାଷ୍ଟ୍ର ଲଗାତାର ଭାବେ ତାଲିକାର ନିମ୍ନରେ ରହି ସବୁଠାରୁ କମ୍ ଖୁସି ରାଷ୍ଟ୍ର ବିବେଚିତ ହୋଇଛନ୍ତି। ଆଫଗାନିସ୍ତାନ ପୁଣିଥରେ ସବୁଠାରୁ କମ୍ ଖୁସି ଥିବା ରାଷ୍ଟ୍ର ଭାବେ ତାଲିକାରେ ସ୍ଥାନ ପାଇଛି । ଖୁସି ରାଷ୍ଟ୍ର ତାଲିକାର ଶୀର୍ଷରେ ଥିବା ରାଷ୍ଟ୍ର ହେଉଛନ୍ତି ଫିନଲାଣ୍ଡ, ଆଇସଲାଣ୍ଡ, ଡେନମାର୍କ, କୋଷ୍ଟା ରିକା, ସ୍ବିଡେନ, ନରୱେ, ନେଦରଲାଣ୍ଡ, ଇସ୍ରାଏଲ, ଲଜେମବର୍ଗ, ସ୍ବିଜରଲାଣ୍ଡ। ତାଲିକାର ୧୪୭ତମ ସ୍ଥାନରେ ଆଫଗାନିସ୍ତାନ ରହିଛି। ୧୪୬ ତମ ସ୍ଥାନରେ ସିଏରା ଲିଓନ୍ ଥିବାବେଳେ ୧୪୫ତମ ସ୍ଥାନରେ ମାଲାୱି, ୧୪୪ ସ୍ଥାନରେ ଜିମ୍ବାୱେ, ୧୪୩ରେ ବୋତସ୍ବାନା, ୧୪୨ ସ୍ଥାନରେ ୟେମେନ, ୧୪୧ରେ ଲେବାନନ, ୧୪୦ରେ ଡିଆର କଙ୍ଗୋ , ୧୩୯ ସ୍ଥାନରେ ଏବଂ ୧୩୮ ସ୍ଥାନରେ ତାଞ୍ଜାନିଆ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୌଣସି ଇଂରାଜି ଭାଷାଭାଷୀ ରାଷ୍ଟ୍ର ଲଗାତାର ଦ୍ବିତୀୟ ବର୍ଷ ପାଇଁ ଶୀର୍ଷ ୧୦ ତାଲିକାରେ ସ୍ଥାନ ପାଇନାହାନ୍ତି। ଆମେରିକା ତାଲିକାର ୨୩ତମ ସ୍ଥାନରେ ଥିବାବେଳେ କାନାଡ଼ା ୨୫ ଏବଂ ବ୍ରିଟେନ ୨୯ତମ ସ୍ଥାନରେ ରହିଛି। ତେବେ କୋଷ୍ଟା ରିକା ୨୦୨୩ରେ ୨୩ତମ ସ୍ଥାନରେ ଥିବାବେଳେ ଏହା ୨୦୨୪ରେ ଚତୁର୍ଥ ସ୍ଥାନକୁ ଆସିଯାଇଛି। ରିପୋର୍ଟରେ ସ୍ଥାନିତ ୧୪୭ ରାଷ୍ଟ୍ରର ତାଲିକାରେ ଭାରତର ସ୍ଥାନ ୧୧୬ରେ ରହିଛି। ୨୦୨୫ରେ ଭାରତ ୧୧୮ତମ ସ୍ଥାନରେ ଥିବାବେଳେ ଏହାର ସ୍ଥିତିରେ ସାମାନ୍ୟ ସୁଦ୍ଧାର ଆସିଛି। ଉଲ୍ଲେଖଯୋଗ୍ୟ ଯେ ୧୪୦ ରାଷ୍ଟ୍ରର ୧ ଲକ୍ଷରୁ ଅଧିକ ଲୋକଙ୍କ ମତାମତ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।




