ନଭେମ୍ବର ୨ ପର୍ଯ୍ୟନ୍ତ ଭାରତ ଛାଡ଼ିବେ ନାହିଁ ଇମ୍ରାନ ଖାନ୍‌; ଦେଶ ଛାଡ଼ିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ନଭେମ୍ବର ୨ ପର୍ଯ୍ୟନ୍ତ ଭାରତ ଛାଡ଼ିବେ ନାହିଁ ଇମ୍ରାନ ଖାନ୍‌; ଦେଶ ଛାଡ଼ିବା ନିର୍ଦ୍ଦେଶ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ
Samaya Live Desk Picture
Published On
ନୂଆଦିଲ୍ଲୀ : ବଲିଉଡ୍ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡ଼ିବାକୁ ବିଦେଶୀ ଆଞ୍ଚଳିକ ପଞ୍ଜୀକରଣ କାର୍ଯ୍ୟାଳୟ (ଏଫ୍‌ଆରଆରଓ) ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା। ତେବେ ମଙ୍ଗଳବାର ବମ୍ବେ ହାଇକୋର୍ଟ ଏହି ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ୍ ଲଗାଇଛନ୍ତି। ଫଳରେ ଅତି କମ୍‌ରେ ନଭେମ୍ବର ୨ ପର୍ଯ୍ୟନ୍ତ ଅଭିନେତାଙ୍କୁ ଭାରତ ଛାଡ଼ିବାକୁ ପଡ଼ିବ ନାହିଁ। ଏଫ୍‌ଆରଆରଓ ପକ୍ଷରୁ ଜାରି ‘ଭାରତ ଛାଡ଼’ ନୋଟିସ୍‌କୁ ଚ୍ୟାଲେଞ୍ଜ କରି ଅଭିନେତା ଇମ୍ରାନ ଖାନ୍‌ ଦାଖଲ କରିଥିବା ଆବେଦନର ଶୁଣାଣିକୁ ବମ୍ବେ ହାଇକୋର୍ଟ ନଭେମ୍ବର ୨, ସୋମବାର ଅପରାହ୍ନ ୩ଟାକୁ ଘୁଞ୍ଚାଇ ଦେଇଛନ୍ତି। କେନ୍ଦ୍ର ସରକାର ଜବାବ ଦାଖଲ କରିବା ପାଇଁ ଅଧିକ ସମୟ ମାଗିବା ପରେ ସୋମବାର ଏହି ନିଷ୍ପତ୍ତି ନିଆଯାଇଥିଲା। ରିପୋର୍ଟ ଅନୁଯାୟୀ, ଆମେରିକାର ନାଗରିକ ଇମ୍ରାନଙ୍କୁ ମୁମ୍ବାଇରେ ଏକ ପ୍ରତିବାଦରେ ଯୋଗଦେବା ପରେ ଭାରତ ଛାଡ଼ିବାକୁ ନୋଟିସ୍ ମିଳିଥିଲା। ତେବେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି ଜବରଦସ୍ତିମୂଳକ ପଦକ୍ଷେପ ନିଆଯିବ ନାହିଁ ବୋଲି କେନ୍ଦ୍ର ସରକାର ଅଦାଲତଙ୍କୁ ଆଶ୍ୱାସନା ଦେଇଛନ୍ତି। ଏହି ସମୟ ମଧ୍ୟରେ ନୋଟିସ୍‌ ଉପରେ ରୋକ୍ ରହିବ। ଏଫ୍‌ଆରଆରଓ ପକ୍ଷରୁ ଇମ୍ରାନଙ୍କୁ ଦେଶ ଛାଡ଼ିବା ପାଇଁ ଦିଆଯାଇଥିବା ସମୟସୀମାର ଠିକ୍ ଗୋଟିଏ ଦିନ ପୂର୍ବରୁ ହାଇକୋର୍ଟଙ୍କ ଏହି ଆଦେଶ ଆସିଛି। ଓଭରସିଜ୍ ସିଟିଜେନ୍ ଅଫ୍ ଇଣ୍ଡିଆ (ଓସିଆଇ) କାର୍ଡଧାରୀ ଇମ୍ରାନ ଏହି ନୋଟିସ୍‌ର ଆଇନଗତ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମୁଖ୍ୟ ବିଚାରପତି ମହେଶ ଚନ୍ଦ୍ର ତ୍ରିପାଠୀ ଏବଂ ବିଚାରପତି ଅଦ୍ୱୈତ ସେଠନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ।
 
Tags: