ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ - ଧର୍ମେନ୍ଦ୍ର ପ୍ରଧାନ

ଅହମ୍ମଦବାଦରେ ‘ଆଇଆଇଏମ କୋର୍ଡିନେସନ ଫୋରମ’ ବୈଠକରେ କେନ୍ଦ୍ରମନ୍ତ୍ରୀ

ମ୍ୟାନେଜମେଣ୍ଟ ଶିକ୍ଷା କ୍ଷେତ୍ରରେ ଆଇଆଇଏମ ବିଶ୍ୱ ପାଇଁ ମଡେଲ - ଧର୍ମେନ୍ଦ୍ର ପ୍ରଧାନ
Samaya Live News Picture
Published On

ଗାନ୍ଧୀନଗର/ଅହମ୍ମଦବାଦ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଗୁଜରାଟ ଗସ୍ତ ଅବସରରେ ଗାନ୍ଧୀନଗର ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉଭୟ ନେତାଙ୍କ ମଧ୍ୟରେ ଶିକ୍ଷା ଏବଂ ନବସୃଜନ କ୍ଷେତ୍ରରେ ଗୁଜରାଟର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା ।

photo (1) - 2026-05-14T205511.230
 ଏହା ପୂର୍ବରୁ ଶ୍ରୀ ପ୍ରଧାନ ଆଇଆଇଏମ ଅହମ୍ମଦାବାଦ ପରିସରରେ ଆୟୋଜିତ ଆଇଆଇଏମ ସମୂହର 'ସମନ୍ୱୟ ମଞ୍ଚ' ବା କୋର୍ଡିସେନସ ଫୋରମ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ 'ବିକଶିତ ଭାରତ-୨୦୪୭' ର ସ୍ୱପ୍ନକୁ ସାକାର କରିବାରେ ଆଇଆଇଏମ ଗୁଡ଼ିକର ଭୂମିକା ଉପରେ ବ୍ୟାପକ ବିଚାର ବିମର୍ଶ କରାଯାଇଥିଲା। ଶ୍ରୀ ପ୍ରଧାନ କହିଥିଲେ, ଦେଶର ସମସ୍ତ ଆଇଆଇଏମ ମଧ୍ୟରେ ସମନ୍ୱୟ ରକ୍ଷା କରି ଏକ ସଶକ୍ତ ଶିକ୍ଷା ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ । ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ସହ ବିଶ୍ୱସ୍ତରୀୟ ଶିକ୍ଷାଦାନ ପଦ୍ଧତି ଆପଣେଇବାକୁ ହେବ । ନୂତନ ଇନୋଭେସନକୁ ପ୍ରୋତ୍ସାହନ ଦେଇ ଆଇଆଇଏମ ଶିକ୍ଷାକୁ ଆନ୍ତର୍ଜାତୀୟ ସ୍ତରରେ ଶୀର୍ଷରେ ପହଞ୍ଚାଇବା ପାଇଁ ଆହ୍ୱାନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିପରି ବୈଷୟିକ ଜ୍ଞାନ ସହ ସାମାଜିକ ଦାୟିତ୍ୱବୋଧ ଏବଂ ନୈତିକ ନେତୃତ୍ୱ ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ସେ କହିଛନ୍ତି ଯେ, ଭାରତର ଆଇଆଇଏମ ଗୁଡ଼ିକ କେବଳ ଶିକ୍ଷାନୁଷ୍ଠାନ ନୁହଁନ୍ତି, ବରଂ ଦେଶ ଗଠନ ଏବଂ ଆର୍ଥିକ ପରିବର୍ତ୍ତନର ଶକ୍ତିଶାଳୀ ମାଧ୍ୟମ । ନେତୃତ୍ୱ ଏବଂ ପରିଚାଳନା ଶିକ୍ଷା କ୍ଷେତ୍ରରେ ଏହା ସମଗ୍ର ବିଶ୍ୱ ପାଇଁ ଆଦର୍ଶ ସାଜିଛି । ଆଗାମୀ ଦିନରେ ଏହି ଅନୁଷ୍ଠାନଗୁଡ଼ିକ ଏକ ସୁଦୃଢ଼ ଇନୋଭେସନ ପରିବେଶ ସୃଷ୍ଟି କରି ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ପ୍ରମୁଖ ସହାୟକ ହେବେ।


Tags: