ପାକିସ୍ତାନୀ ଗୁଇନ୍ଦା କର୍ମଚାରୀଙ୍କୁ ପ୍ରତିରକ୍ଷା ସୂଚନା ଲିକ୍ ଅଭିଯୋଗରେ ବାୟୁସେନା ଅଧିକାରୀ ଗିରଫ
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଜଣେ ୱିଙ୍ଗ କମାଣ୍ଡରଙ୍କୁ ଗତ ମେ ମାସରେ ଗିରଫ କରାଯାଇଥିଲା। ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଦ୍ୱାରା ‘ହନି-ଟ୍ରାପ୍’ର ଶିକାର ହୋଇ ସେ ଜଣେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ବେଦନଶୀଳ ପ୍ରତିରକ୍ଷା ସୂଚନା ଓ ଗୋପନୀୟ ଦସ୍ତାବିଜ ସେୟାର କରିଥିବା ଅଭିଯୋଗ ରହିଛି। ୪୪ ବର୍ଷୀୟ ଉକ୍ତ ବାୟୁସେନା ଅଧିକାରୀ ଏବେ ତିହାର ଜେଲ୍ରେ ଅଛନ୍ତି। ଅଧିକାରୀଙ୍କ ନାମ ପ୍ରକାଶ କରାଯାଇନାହିଁ। ଘଟଣା ସମ୍ପର୍କରେ ଅବଗତ ପୁଲିସ ଅଧିକାରୀମାନେ କହିଛନ୍ତି ଯେ, ମେ ୩୦ ତାରିଖରେ ତାଙ୍କୁ ହେପାଜତକୁ ନିଆଯିବାର ପ୍ରାୟ ୫୦ ଦିନ ପରେ ପୁଲିସ ତାଙ୍କ ଗିରଫ ସମ୍ପର୍କିତ ବିବରଣୀ ପ୍ରକାଶ କରିଛି। ଦିଲ୍ଲୀ ପୁଲିସ ଏକ ବିବୃତ୍ତିରେ କହିଛି ଯେ, ତଦନ୍ତକାରୀ ଦଳ ଜୁଲାଇ ୩୦ ତାରିଖରେ ଏହି ମାମଲାର ଚାର୍ଜସିଟ୍ ଦାଖଲ କରିଛନ୍ତି। ଭାରତୀୟ ବାୟୁସେନା କର୍ତ୍ତୃପକ୍ଷଙ୍କ ଅଭିଯୋଗ ଆଧାରରେ ମେ ୩୦ ତାରିଖରେ ଜଣେ କାର୍ଯ୍ୟରତ ବାୟୁସେନା ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ଜଣେ ପାକିସ୍ତାନୀ ଗୁଇନ୍ଦା ଅପରେଟିଭ୍ଙ୍କ ଦ୍ୱାରା ସେ ‘ହନି-ଟ୍ରାପ୍’ର ଶିକାର ହୋଇଥିବା ଅଭିଯୋଗ ରହିଛି। ତଦନ୍ତ ପରେ ଜୁଲାଇ ୩୦ ତାରିଖରେ ଅଦାଲତରେ ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାଟି ବର୍ତ୍ତମାନ କୋର୍ଟରେ ବିଚାରାଧୀନ ରହିଛି ବୋଲି ପୁଲିସ ବିବୃତ୍ତିରେ କହିଛି। ବାୟୁସେନାର ଜଣେ ପ୍ରବକ୍ତା କହିଛନ୍ତି, ତାଙ୍କ ଉପରେ ସକ୍ରିୟ ଭାବେ ନଜର ରଖାଯାଉଥିଲା ଏବଂ ପରେ ତାଙ୍କୁ ଉପଯୁକ୍ତ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ଏହି ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଫିସିଆଲ ସିକ୍ରେଟ୍ସ ଆକ୍ଟର ସମ୍ପୃକ୍ତ ଧାରା ଅନୁସାରେ ମାମଲା କରାଯାଇଥିଲା। ବିଶେଷ ସେଲ୍ ଓ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାଗୁଡ଼ିକ ମିଳିତ ଭାବେ ତାଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା। ଜୁନ୍ ମାସରେ ଅଦାଲତ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିଲେ। ବର୍ତ୍ତମାନ ସେ ତିହାର ଜେଲ୍ରେ ଅଛନ୍ତି




