ଲୋକଙ୍କ ବିଶ୍ବାସ ଜିତି ପାରିଲିନାହିଁ : ପ୍ରଶାନ୍ତ କିଶୋର   

ଲୋକଙ୍କ ବିଶ୍ବାସ ଜିତି ପାରିଲିନାହିଁ : ପ୍ରଶାନ୍ତ କିଶୋର   

ପାଟନା :  ବିହାର ବିଧାନସଭା ନିର୍ବାଚନରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରାଜ ପାର୍ଟି କୌଣସି ଗୋଟିଏ ହେଲେ ଆସନରେ ଜିତିପାରିନାହିଁ। ଦଳର ଏଭଳି ଶୋଚନୀୟ ପରାଜୟ ଉପରେ ପ୍ରଶାନ୍ତ କିଶୋର ପ୍ରଥମ ଥର ପ୍ରତିକ୍ରିୟା ରଖି କହିଛନ୍ତି, ତାଙ୍କ ଦଳ ଏକ ସଚ୍ଚୋଟ ଉଦ୍ୟମ କରିଥିଲା ଯଦିଓ ଏହା ବିଫଳ ହୋଇଛି। ନିର୍ବାଚନ ପରାଜୟ ପାଇଁ ସେ ସବୁ ଦାୟିତ୍ବ ନିଜ ମୁଣ୍ଡକୁ ନେଇଛନ୍ତି।  ନିର୍ବାଚନରେ ଡାର୍କ ହର୍ସ ବିବେଚନା କରାଯାଉଥିବା ଏହି ଦଳ ୨୩୮ ଆସନରେ ନିର୍ବାଚନ ଲଢ଼ିଥିବାବେଳେ ଏହାର ଭୋଟ୍‌ ସେୟାର ମାତ୍ର ୩.୪୪ ପ୍ରତିଶତ ଥିଲା। ୬୮ଟି ନିର୍ବାଚନମଣ୍ଡଳୀରେ ଏହା ନୋଟାଠାରୁ ମଧ୍ୟ କମ୍‌ ଭୋଟ ପାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କିଶୋର କହିଛନ୍ତି, ଆମେ ଏକ ସଚ୍ଚୋଟ ଉଦ୍ୟମ କରିଥିଲୁ। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ବିଫଳ ହେଲା। ଏହା ସ୍ବୀକାର କରିବାରେ କିଛି କ୍ଷତି ନ‌ାହିଁ।  ପ୍ରଶାନ୍ତ କହିଛନ୍ତି, ପଦ୍ଧତିଗତ ପରିବର୍ତ୍ତନ କଥା ଛାଡ଼ ଆମେ କ୍ଷମତାରେ ମଧ୍ୟ ପରିବର୍ତ୍ତନ ଆଣିପାରିନେ। କିନ୍ତୁ ବିହାର ରାଜନୀତି ପରିବର୍ତ୍ତନ କରିବାରେ ଆମେ କିଛି ଭୂମିକା ନିର୍ବାହ କରିଛୁ ବୋଲି ପ୍ରଶାନ୍ତ କିଶୋର କହିଛନ୍ତି।  ନିର୍ବାଚନ ଫଳର ସମ୍ପୂର୍ଣ୍ଣ ଦାୟିତ୍ବ ନିଜ ମୁଣ୍ଡକୁ ନେଇ ପ୍ରଶାନ୍ତ କିଶୋର କହିଛନ୍ତି, ଆମ ଉଦ୍ୟମ ଏବଂ ଆମ ଚିନ୍ତାଧାରାରେ କିଛି ଭୁଲ୍‌ ଥାଇପାରେ। ଯେଉଁଥିପାଇଁ ଜନସାଧାରଣ ଆମକୁ ନିର୍ବାଚିତ କଲେନାହିଁ।  ପ୍ରଶାନ୍ତ କହିଛନ୍ତି, ଯଦି ଜନସାଧାରଣ ଆମ ଉପରେ ବିଶ୍ବାସ ପ୍ରକଟ କଲେନାହିଁ ତେବେ ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ମୁଁ ଦାୟୀ।  ଲୋକଙ୍କର ବିଶ୍ବାସ ମୁଁ ଜିତିପାରିଲି ନାହିଁ। ଏଥିପାଇଁ ମୁଁ ଶତ ପ୍ରତିଶତ ଦାୟୀ।   

Read More ଆଉ ଏକ ବଡ଼ ଏନକାଉଣ୍ଟର,୭ ମାଓବାଦୀ ମୃତ

Related Posts