ବିଳାସ ଜୀବନ ପାଇଁ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଚୋରି ନିଶା

ବିଳାସ ଜୀବନ ପାଇଁ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଚୋରି ନିଶା

ହାଇଦ୍ରାବାଦ:  ହାଇଦ୍ରାବାଦର ଏକ ନାମି କମ୍ପାନିରେ କାମ କରୁଥିବା ଜଣେ ସଫ୍ଟୱେର ଇଞ୍ଜିନିୟର ୨୬ରୁ ଅଧିକ ଘରୁ ଚୋରି ଅଭିଯୋଗରେ ବିଶାଖାପାଟଣାରେ ଗିରଫ ହୋଇଛି। ଗଜୁୱକା ଥାନା ପୁଲିସ ଅନୁଯାୟୀ ଗିରଫ ସଫ୍ଟୱେର ଇଞ୍ଜିନିୟରର  ନାଁ ଅଚି ମହେଶ ରେଡ୍ଡୀ ଓରଫ ସନ୍ନି। ସେ ଅତି ବିଳାସପୂର୍ଣ୍ଣ ଜୀବନ ଜିଉଁଥିଲା। କେବଳ ଦରମା ଟଙ୍କାରେ ଅୟସ କରିହେଉ ନାହିଁ ବୋଲି ସେ ଚୋରି କରୁଥିଲା। ୨୬ଟି ଘରର ସେ ତାଲା ଭାଙ୍ଗି ସୁନା, ରୂପା ଅଳଙ୍କାର ଓ ନଗଦ ଟଙ୍କା‌ ଚୋରି କରିଥିବା ବିଶାଖାପାଟଣା ପୁଲିସ କମିସନର ଶଙ୍କବ୍ରତ ବାଗଚୀ କହିଛନ୍ତି। ଗିରଫ ଇଞ୍ଜିନିୟର ଚୋରି ଜିନିଷ ବିକ୍ରି କରି ଏକ ବିଏମ୍‌ଡବ୍ଲ୍ୟୁ କାର୍‌ କିଣିଛି। ବିଶାଖାପାଟଣାରେ ୧ କିଲୋରୁ ଅଧିକ ସୁନା, ୬ କିଲୋରୁ ଅଧିକ ରୁପା ଓ ୪୦,୫୦୦ ନଗଦ ଟଙ୍କା ଚୋରି କରିଥିବା ଅଭିଯୋଗରେ ତା’ ବିରୋଧ‌‌ରେ ୨୬ଟି ମାମଲା ରୁଜୁ ହୋଇଛି। ପୁଲିସ ଉକ୍ତ ବ୍ୟକ୍ତିକୁ ଗିରଫ କରିବା ପରେ ତା’ ନିକଟରୁ ୬୯୯ ଗ୍ରାମ୍‌ ସୁନା, ୩.୮ କିଲୋ ରୁପା ଗହଣା ଓ ବିଳାସପୂର୍ଣ୍ଣ କାର୍‌ ଜବତ କରିଛି। ପୁଲିସ ମଧ୍ୟ ବିଶ୍ବାସ କରୁଛି ଯେ, ସେ ଚୋରି ଟଙ୍କାକୁ ବିଦେଶ ଗସ୍ତ ପାଇଁ ବ୍ୟବହାର କରୁଥିଲା। ତଦନ୍ତକାରୀ ଦଳ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ‌ଯେ, ସନ୍ନି ହାଇଦ୍ରାବାଦର ଏକ ଆଇଟି କମ୍ପାନିରେ କାମ କରି ବି ଚୋରି କରୁଛି। ସେ କାକିନାଡ଼ା ବାସିନ୍ଦା। କିନ୍ତୁ ବିଶାଖାପାଟଣାର ମାଧବଧର ଅଞ୍ଚଳରେ ରହୁଛି। ପୁଲିସ ଅନୁଯାୟୀ, ସନ୍ନି କିଶୋର ବୟସରୁ ଚୋରି କାର୍ଯ୍ୟରେ ସମ୍ପୃକ୍ତ। ସେ ୧୫ ବର୍ଷ ବୟସରେ ପିଏମ୍‌ ପାଲେମ ଅଞ୍ଚଳରେ ଜଣଙ୍କ ଘରୁ ଚୋରି ଅଭିଯୋଗରେ ବାଳ ସୁଧାର ଗୃହକୁ ଯାଇଥିଲା। ସେ କାକିନାଡ଼ା, ସର୍ପବରମ୍, ରାମଚନ୍ଦ୍ରପୁରମ୍, ଇନ୍ଦ୍ରପଲେମ୍ ଓ ରାଜମହେନ୍ଦ୍ରୀରେ ଚୋରି କରିଛି। ପୂର୍ବରୁ ମଧ୍ୟ ସେ ଅନ୍ୟ ଏକ ଚୋରି ମାମଲାରେ ରାଜମହେନ୍ଦ୍ରୀ ସେଣ୍ଟ୍ରାଲ ଜେଲ୍‌ରେ ୧୪ ମାସ ରହିଛି। ପୁଲିସ ରେକର୍ଡ ଅନୁଯାୟୀ ରାଜ୍ୟ‌ରେ ୬୦ରୁ ଅଧିକ ଚୋରି ମାମଲାରେ ସେ ସମ୍ପୃକ୍ତ।  

ସମ୍ବନ୍ଧିତ ଖବର ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

Tags: