ପୁଟିନଙ୍କ ‘ଯନ୍ତ୍ରଣାଦାୟକ ପ୍ରତିଶୋଧ’ ଚେତାବନୀର କିଛି ଘଣ୍ଟା ପରେ ୟୁକ୍ରେନ୍ ଉପରେ ରୁଷିଆର ବଡ଼ଧରଣର ଆକ୍ରମଣ, ୩ ମୃତ
କିଭ୍: ୟୁକ୍ରେନ୍କୁ ନେଇ ରୁଷିଆର ଆକ୍ରମଣାତ୍ମକ ଆଭିମୁଖ୍ୟ ଆହୁରି ତୀବ୍ର ହୋଇଛି। ୟୁକ୍ରେନ୍ର କ୍ରିମିଆ ସେତୁ ଉପରେ ଆକ୍ରମଣର ପ୍ରତିଶୋଧ ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଚେତାବନୀ ଦେବାର କିଛି ଘଣ୍ଟା ପରେ ୟୁକ୍ରେନ୍ ଉପରେ ରୁଷିଆ ବଡ଼ଧରଣର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଛି। ଏହି ଆକ୍ରମଣରେ ରାଜଧାନୀ କିଭ୍ରେ ଅତିକମ୍ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବ୍ୟାହତ ହୋଇଛି। କିଭ୍ର ମେୟର ଭିଟାଲି କ୍ଲିଚ୍କୋ ଶୁକ୍ରବାର ଟେଲିଗ୍ରାମ୍ ଜରିଆରେ ଏହି ସୂଚନା ଦେଇଛନ୍ତି। ରୁଷିଆର ଆକ୍ରମଣରେ ଡନିପ୍ରୋ ନଦୀ ଉପରେ ଥିବା ତିନୋଟି ସେତୁ କ୍ଷତିଗ୍ରସ୍ତ ହୋଇଛି। ଫଳରେ ରାଜଧାନୀରେ ଯାତାୟାତ ଓ ପରିବହନ ବ୍ୟବସ୍ଥା ଗୁରୁତର ପ୍ରଭାବିତ ହେବା ଆଶଙ୍କା ରହିଛି। ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ମଧ୍ୟ ଶୁକ୍ରବାର ଏକ ବଡ଼ଧରଣର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣ କରିଥିବା ସ୍ୱୀକାର କରିଛି। ୟୁକ୍ରେନ୍ର ବିଭିନ୍ନ ଅଞ୍ଚଳରେ ଥିବା ପ୍ରତିରକ୍ଷା ଶିଳ୍ପ ପ୍ରତିଷ୍ଠାନ, ଶକ୍ତି ଓ ପରିବହନ ଭିତ୍ତିଭୂମିକୁ ଟାର୍ଗେଟ୍ କରାଯାଇଥିବା ମନ୍ତ୍ରଣାଳୟ କହିଛି। କିଭ୍ରେ ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ ପରିବହନରେ ବ୍ୟବହୃତ ସଡ଼କ ଓ ରେଳ ସେତୁଗୁଡ଼ିକୁ ମଧ୍ୟ ଆକ୍ରମଣ କରାଯାଇଥିବା ଦାବି କରିଛି। ଏହାବ୍ୟତୀତ ଓଡେସା ବନ୍ଦର ଅଞ୍ଚଳରେ ଥିବା ଭିତ୍ତିଭୂମି ଓ ସାମରିକ ଉପକରଣ ପରିବହନ କରୁଥିବା ଏକ ମାଲବାହୀ ଜାହାଜ ଉପରେ ଆକ୍ରମଣ କରିଥିବା ରୁଷ୍ ଦାବି କରିଛି। ତେବେ ଏହି ଦାବିଗୁଡ଼ିକର ସ୍ୱାଧୀନ ଭାବେ ସତ୍ୟତା ଯାଞ୍ଚ ହୋଇପାରିନାହିଁ। ପଶ୍ଚିମ ୟୁକ୍ରେନ୍ର ଲଭିଭ୍ ଓ ଇଭାନୋ-ଫ୍ରାଙ୍କିଭସ୍କ ଅଞ୍ଚଳରେ ମଧ୍ୟ ଆକ୍ରମଣ ହୋଇଛି। ଉତ୍ତର-ପୂର୍ବ ସହର ଖାରକିଭ୍ର ଏକ ହସ୍ପିଟାଲ ଉପରେ ଆକ୍ରମଣ ହୋଇଥିବାବେଳେ ଦକ୍ଷିଣର ଜାପୋରିଜିଆ ଅଞ୍ଚଳରେ ମଧ୍ୟ ଜଣଙ୍କ ମୃତ୍ୟୁ ଘଟିଛି।




