୧୨ରେ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ବ ଶର୍ମା
ବିଧାୟକ ଦଳ ନେତା ନିର୍ବାଚିତ
ଗୁଆହାଟୀ: ହିମନ୍ତ ବିଶ୍ବ ଶର୍ମା ପୁଣିଥରେ ଆସାମ ମୁଖ୍ୟମନ୍ତ୍ରୀ ଭାବେ ଫେରିବାକୁ ଯାଉଛନ୍ତି। ହିମନ୍ତ ଆଜି ଆସାମରେ ବିଜେପି ବିଧାୟକ ଦଳ ତଥା ଏନ୍ଡିଏ ନେତା ନିର୍ବାଚିତ ହୋଇଛନ୍ତି। ହିମନ୍ତ ମେ ୧୨ରେ ଶପଥ ନେବେ। ଗୁଆହାଟୀରେ ନବନିର୍ବାଚିତ ଏନ୍ଡିଏ ବିଧାୟକଙ୍କ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏହି ଘୋଷଣା କରିଛନ୍ତି। ରଞ୍ଜିତ କୁମାର ଦାସ, ବିଶ୍ୱଜିତ ଦୈମାରୀ, ଅଜନ୍ତା ନିଓଗ, ରାମେଶ୍ୱର ତେଲି, ରାଜଦୀପ ରାୟ, ଅଶୋକ ସିଂଘଲ, ପୀୟୂଷ ହଜାରିକା ଓ ଚକ୍ରଧର ଗୋଗୋଇଙ୍କ ସମେତ ବରିଷ୍ଠ ନେତାମାନେ ଶର୍ମାଙ୍କ ନାମକୁ ସମର୍ଥନ କରି ଆଠଟି ପ୍ରସ୍ତାବ ଆଗତ କରିଥିଲେ। ଏହି ବୈଠକରେ ବିଜେପି, ଆସାମ ଗଣ ପରିଷଦ ଓ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ସମେତ ଏନ୍ଡିଏର ବିଧାୟକମାନେ ଯୋଗ ଦେଇଥିଲେ। ଅତୁଲ ବୋରା (ଏଜିପି) ଓ ରିହୋନ୍ ଡାଇମାରୀ (ବିପିଏଫ୍)ଙ୍କ ସମେତ ନେତାମାନେ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ, ଯାହା ପରେ ହିମନ୍ତ ସର୍ବସମ୍ମତିକ୍ରମେ ଉଭୟ ବିଜେପି ବିଧାୟକ ଦଳର ନେତା ତଥା ଏନ୍ଡିଏ ନେତା ଭାବରେ ନିର୍ବାଚିତ ହୋଇଥିଲେ। ହିମନ୍ତ ମେ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।




