ନେପାଳରେ ବଡ଼ ଦୁର୍ଘଟଣା: ମୃତଦେହ ନେଇଯାଉଥିବା ହେଲିକପ୍ଟର ଖସିପଡ଼ିଲା
କାଠମାଣ୍ଡୁ: ନେପାଳରେ କାଠମାଣ୍ଡୁରେ ଆଜି ହେଲିକପ୍ଟର ଦୁର୍ଘଟଣା ହୋଉଇଛି। ମୃତଦେହ ନେଇ ଯାଉଥିବା ଏକ ହେଲିକପ୍ଟର ଅବତରଣ କରିବାକୁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ୍ ନିୟନ୍ତ୍ରଣ ହରାଇ ଏକ ଚାଷଜମିରେ ଖସି ପଡ଼ିଛି। ଏହି ଘଟଣା ଆଖପାଖର ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା। କିନ୍ତୁ ଆଶ୍ବସ୍ତିକର ବିଷୟ ଏହା ଯେ ଦୁର୍ଘଟଣାର ଭୟାବହତା ସତ୍ତ୍ୱେ, ହେଲିକପ୍ଟରରେ ଥିବା ସମସ୍ତେ ଅତ୍ୟନ୍ତ ଚମତ୍କାର ଭାବରେ ବଞ୍ଚିଯାଇଛନ୍ତି। କୌଣସି ମୃତାହତ କିମ୍ବା ଗୁରୁତର ଆହତ ହୋଇଥିବାର ରିପୋର୍ଟ ହୋଇନାହିଁ।
ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଏକ ହେଲିକପ୍ଟର କାଠମାଣ୍ଡୁରୁ ଖୋଟାଙ୍ଗ ଜିଲ୍ଲା ଅଭିମୁଖେ ଉଡ଼ାଣ ଭରିବା ସମୟରେ ଏହି ଘଟଣା ଘଟିଥିଲା। ସ୍ଥାନୀୟ କର୍ତ୍ତୃପକ୍ଷଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ହେଲିକପ୍ଟରଟି ଏହାର ଉଦ୍ଦିଷ୍ଟ ଅବତରଣ ସ୍ଥାନ ନିକଟରେ ପହଞ୍ଚିଥିଲା, ସେତେବେଳେ କୌଣସି ପକ୍କା ହେଲି ପ୍ୟାଡ୍ ନଥିଲା। ପାଇଲଟ୍ ଅବତରଣ ପାଇଁ ଏକ ଖୋଲା ପଡ଼ିଆ ବାଛିଥିଲେ। କିନ୍ତୁ, ଅବତରଣ ସମୟରେ, ହେଲିକପ୍ଟରଟି ହଠାତ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସୌଭାଗ୍ୟବଶତଃ, ହେଲିକପ୍ଟରରେ ନିଆଁ ଲାଗି ନଥିଲା।



