ସାମରିକ ଅଭ୍ୟାସ ବେଳେ ଅଘଟଣ: ଯବାନଙ୍କ ଉପରେ ଚଢ଼ିଗଲା ଟ୍ୟାଙ୍କ, ୨ ଯବାନଙ୍କ ମୃତ୍ୟୁ

ସାମରିକ ଅଭ୍ୟାସ ବେଳେ ଅଘଟଣ: ଯବାନଙ୍କ ଉପରେ ଚଢ଼ିଗଲା ଟ୍ୟାଙ୍କ, ୨ ଯବାନଙ୍କ ମୃତ୍ୟୁ
Samaya Live Desk Picture
Published On

ହିସାର: ଦେଶର ସୁରକ୍ଷା ପାଇଁ ଦିନରାତି ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଯବାନଙ୍କ ପାଇଁ ସାମରିକ ଅଭ୍ୟାସ ହିଁ କାଳ ସାଜିଛି। ଟ୍ୟାଙ୍କ ନେଇ ଚାଲିଥିବା ପ୍ରଶିକ୍ଷଣ ସମୟରେ ଏକ ଭୟଙ୍କର ଦୁର୍ଘଟଣାରେ ଦୁଇ ଜଣ ଭାରତୀୟ ସେନା ଯବାନଙ୍କ ଜୀବନ ଚାଲିଯାଇଛି। ହରିୟାଣାର ହିସାର ଜିଲ୍ଲା ଅନ୍ତର୍ଗତ ଭୋଜରାଜ ଗାଁରେ ଏହି ଅଘଟଣ ଘଟିଛି। ପୁଲିସର ସୂଚନା ଅନୁସାରେ, ଶନିବାର ଏକ ସାମରିକ ପ୍ରଶିକ୍ଷଣ ଅଭ୍ୟାସ ଚାଲିଥିବା ବେଳେ ଏକ ଟ୍ୟାଙ୍କ ଦୁଇ ଜଣ ଯବାନଙ୍କ ଉପରେ ଚଢ଼ିଯାଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଭ୍ୟାସ ସମୟରେ ଟ୍ୟାଙ୍କଗୁଡ଼ିକ ଚଳାଚଳ କରିବାରୁ ପ୍ରବଳ ଧୂଳି ଉଡ଼ିଥିଲା। ଫଳରେ ଟ୍ୟାଙ୍କ ଚାଳକଙ୍କ ଦୃଶ୍ୟମାନ କ୍ଷମତା ବାଧାପ୍ରାପ୍ତ ହୋଇଥିଲା। ଏହି କାରଣରୁ ଟ୍ୟାଙ୍କ ଆଗରେ ଅବସ୍ଥାନ କରିଥିବା ଦୁଇ ଯବାନଙ୍କୁ ଚାଳକ ଦେଖିପାରିନଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯବାନ ଦୁଇଜଣ ହେଲେ ନାଏକ ମନୀଷ କୁମାର ଓ ନାଏକ ଅଙ୍କୁଶ କୁମାର। ମନୀଷ ଉତ୍ତରପ୍ରଦେଶର ଶାମଲି ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ଅଙ୍କୁଶ ବଦାୟୁଁ ଜିଲ୍ଲାର ବାସିନ୍ଦା ଥିଲେ। ଟ୍ୟାଙ୍କ ଚଢ଼ିଯିବା ଫଳରେ ଉଭୟ ଯବାନ ଗୁରୁତର ଆହତ ହୋଇଥିଲେ। ସେଠାରେ ଉପସ୍ଥିତ ଅନ୍ୟ ସେନା କର୍ମଚାରୀମାନେ ତୁରନ୍ତ ସେମାନଙ୍କୁ ହିସାର ସାମରିକ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସମ୍ପର୍କରେ ବରିଷ୍ଠ ସେନା ଅଧିକାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ପୁଲିସ ପକ୍ଷରୁ ମାମଲାର ତଦନ୍ତ ଆରମ୍ଭ ହୋଇଛି। ଉଭୟ ଯବାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ପୁଲିସ ସୂଚନା ଦେଇଛି। ଏହି ଅଘଟଣ ସେନା ମହଲରେ ଶୋକର ଛାୟା ଖେଳାଇ ଦେଇଛି।

Tags: