ଚିର ନିଦ୍ରାରେ ହରିଶ, ୧୩ ବର୍ଷର ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତି

ଚିର ନିଦ୍ରାରେ ହରିଶ, ୧୩ ବର୍ଷର ଯନ୍ତ୍ରଣାଦାୟକ ଜୀବନରୁ ମୁକ୍ତି
Samaya Live News Picture
Published On

ନୂଆଦିଲ୍ଲୀ : ୧୩ ବର୍ଷ ଧରି କୋମାରେ ରହିବା ପରେ ଦିଲ୍ଲୀ ଏମ୍ସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ହରିଶ ରାଣା । ସୁପ୍ରିମ କୋର୍ଟଙ୍କ ଇଚ୍ଛାମୃତ୍ୟୁ ‘ପାସିଭ ଇଉଥାନେସିଆ’ କୁ ଅନୁମତି ପରେ ଯନ୍ତ୍ରଣାଦାୟକ ଜୀବନରୁ ହରିଶ ରାଣାଙ୍କୁ ମୁକ୍ତି ମିଳିଛି । ତାଙ୍କୁ ଇଛା ମୃତ୍ୟୁ ମିଳୁ ବୋଲି ପରିବାର ପକ୍ଷରୁ ନ୍ୟାୟିକ ଲଢେଇ ଜାରି ରହିଥିଲା । ହରିଶ ରାଣା ହେଉଛନ୍ତି ଦେଶର ପ୍ରଥମ ବ୍ୟକ୍ତି ଯାହାଙ୍କ ଇଛା ମୃତ୍ୟୁ ଆବେଦନକୁ ଗ୍ରହଣ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଭାରତରେ ଏହା ଏକ ବିରଳ ଘଟଣା ଭାବେ ପରିଗଣିତ ହେଉଛି।

ସୂଚନାନୁସାରେ,  ହରିଶ ରାଣା ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରେ ପଢୁଥିବାବେଳେ ୧୩ ବର୍ଷ ତଳେ ହଷ୍ଟେଲ ର ୪ର୍ଥ ମହଲାରୁ ଖସି ପଡ଼ିଥିଲେ । ଫଳରେ ହରିଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସେହିଦିନଠାରୁ ସେ କୋମାକୁ ଚାଲିଯାଇଥିଲେ । ପରିବାର ଲୋକେ ଦେଶର ବଡ଼ ବଡ଼ ଡାକ୍ତରଖାନାରେ ତାଙ୍କର ଚିକିତ୍ସା କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ଦିଲ୍ଲୀ ଏମ୍ସ ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଡାକ୍ତରମାନେ ମଧ୍ୟ ସେ ସୁସ୍ଥ ହେବାର ଆଶା ଛାଡ଼ି ଦେଇଥିଲେ।ହରିଶଙ୍କ ଚିକିତ୍ସା ପାଇଁ ମାସିକ ପ୍ରାୟ ୬୦ ରୁ ୭୦ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା । ଦୀର୍ଘ ୧୩ ବର୍ଷ ଧରି ଏହି ଖର୍ଚ୍ଚ ବହନ କରିବା ପରେ ପରିବାରର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ସେ ସୁସ୍ଥ ହେବାର କୌଣସି ସମ୍ଭାବନା ନ ଥିବାରୁ ଏବଂ କେବଳ ମେସିନ ସାହାଯ୍ୟରେ ଜୀବିତ ଥିବାରୁ, ତାଙ୍କ ପିତାମାତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ଓ ମେଡିକାଲ ଗାଇଡଲାଇନ ଅନୁଯାୟୀ ଏମ୍ସର ପାଲିଏଟିଭ କେୟାର ବିଭାଗରେ ତାଙ୍କୁ ରଖାଯାଇଥିଲା। ପାସିଭ ଇଉଥାନେସିଆ ପ୍ରକ୍ରିୟା ଅନୁଯାୟୀ ପ୍ରଥମେ ଧୀରେ ଧୀରେ ତାଙ୍କର ପୋଷଣ (Nutrition) ବନ୍ଦ କରାଯାଇଥିଲା। ଡାକ୍ତରୀ ଟିମ୍‌ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ପ୍ରଣାଳୀକୁ ହଟାଇ ଦିଆଯାଇଥିଲା। ଶେଷରେ ହରିଶ ଶରୀର ତ୍ୟାଗ କରିଛନ୍ତି ।    

Tags: