ଗୁରୁଗ୍ରାମ ହିଟ୍-ଆଣ୍ଡ-ରନ୍ ମାମଲା: ଅଭିଯୁକ୍ତ କଲ୍ୟାଣ ଗିରଫ, ‘ହତ୍ୟା ଉଦ୍ୟମ’ ଧାରା ଲାଗୁ
ନୂଆଦିଲ୍ଲୀ: ଗୁରୁଗ୍ରାମରେ ଜଣେ ମହିଳା ସ୍ପୋର୍ଟସ୍ ବାଇକ୍ ଚାଳକଙ୍କୁ ଗାଡ଼ିରେ ଧକ୍କା ଦେଇଥିବା ଅଭିଯୋଗରେ କଲ୍ୟାଣ ବୈଂସଲାଙ୍କୁ ମଙ୍ଗଳବାର ରାଜସ୍ଥାନର ଦୌସାରୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି। ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ଲବନିଶ ଗୁର୍ଜରଙ୍କୁ ମଧ୍ୟ ବୈଂସଲା ସହ ଗିରଫ କରାଯାଇଛି। ସିସିଟିିଭି ଫୁଟେଜ୍ରୁ ମିଳିଥିବା ତଥ୍ୟ ଆଧାରରେ ଗୁରୁଗ୍ରାମ ପୋଲିସ ଅଭିଯୁକ୍ତ ଡ୍ରାଇଭରଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ଏହି ଅପରାଧ ପାଇଁ ସର୍ବାଧିକ ୧୦ ର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡର ବ୍ୟବସ୍ଥା ରହିଛି। ରବିବାର ଗୁରୁଗ୍ରାମର ଗଲ୍ଫ କୋର୍ସ ରୋଡ୍ରେ ଏକ ଧଳା ରଙ୍ଗର ସେଡାନ୍ କାର୍ ହଠାତ୍ ବାମପଟକୁ ମୋଡ଼ ନେଇ ହେଲମେଟ୍ ପିନ୍ଧିଥିବା ସିଆଙ୍କୁ ଧକ୍କା ଦେଇଥିଲା। ଧକ୍କା ପରେ ସିଆ ରାସ୍ତାରେ ଛିଟିକି ପଡ଼ିଥିଲେ। ତାଙ୍କ ସ୍ପୋର୍ଟସ୍ ବାଇକ୍ ରାସ୍ତା ଉପରେ ଘୋଷାଡ଼ି ଯାଇଥିବା ବେଳେ ସେଥିରୁ ଛୋଟ ଛୋଟ ନିଆଁର ଝଲକ ବାହାରୁଥିବା ଏକ ଭୟଙ୍କର ଭିଡିଓରେ ଦେଖାଯାଇଥିଲା। ଏହାପରେ ଏକ ସାକ୍ଷାତକାରରେ ମହିଳା ବାଇକ୍ ଚାଳକ ସିଆ ସ୍ପଷ୍ଟ କରିଛନ୍ତି ଯେ ସେ ଏହି ମାମଲାରେ ଲଢ଼େଇ ଛାଡ଼ିବେ ନାହିଁ ଏବଂ ଏହି ଘଟଣାକୁ ଏକ ଉଦାହରଣରେ ପରିଣତ କରିବେ। ପୋଲିସ ଅଭିଯୁକ୍ତଙ୍କୁ ଧରିବା ପୂର୍ବରୁ ସିଆ ଏକ ଗଣମାଧ୍ୟମ ସଂସ୍ଥାରେ କହିଛନ୍ତି ସେ ଭାବୁଛନ୍ତି ଯେ ଜଣେ ମହିଳାଙ୍କୁ ଧକ୍କା ଦେଇ ଗାଡ଼ି ଦ୍ରୁତ ଚଳାଇ ପଳାଇଗଲେ କିଛି ହେବ ନାହିଁ। ଏହା ସ୍ପଷ୍ଟ ଭାବରେ ହିଟ୍-ଆଣ୍ଡ-ରନ୍ ଏବଂ ହତ୍ୟା ଉଦ୍ୟମର ମାମଲା। ସିଆଙ୍କ ବାପା ରୋଶନ ଚୌହାନ ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଦଣ୍ଡ ମିଳିବା ପର୍ଯ୍ୟନ୍ତ ପରିବାର ଚୁପ୍ ରହିବ ନାହିଁ। ଅନ୍ୟପକ୍ଷେ ଅଭିଯୁକ୍ତ କଲ୍ୟାଣ ବୈଂସଲା ଏକ ଅଜଣା ସ୍ଥାନରୁ ଗଣମାଧ୍ୟମକୁ ସାକ୍ଷାତକାର ଦେଇଥିଲେ। ସେ କହିଥିଲେ ଯେ ବାଇକ୍ ଚାଳକ ପୁରୁଷ କି ମହିଳା, ତାହା ସେ ଜାଣିନଥିଲେ। ଘଟଣାର କେବଳ ଗୋଟିଏ ପକ୍ଷକୁ ଦେଖାଯାଇଛି ବୋଲି ସେ ଅଭିଯୋଗ କରିଥିଲେ। ସିଆଙ୍କ ଜଣେ ପୁରୁଷ ବନ୍ଧୁଙ୍କ ସହ ଜଡ଼ିତ ଭିଡିଓ କାହିଁକି ସାମ୍ନାକୁ ଆସିନାହିଁ ବୋଲି ମଧ୍ୟ ସେ ପ୍ରଶ୍ନ କରିଥିଲେ। ସାକ୍ଷାତକାରରେ ସେ କହିଥିବା ଶୁଣାଯାଇଛି, ‘ସେହି ଝିଅ ପାଇଁ ମୋତେ ବହୁତ ଖରାପ ଲାଗିଲା।’ କିନ୍ତୁ ତାଙ୍କୁ ‘ଦୁଃଖ ଲାଗିଥିଲା’ ଦାବିକୁ ସିଆ ପ୍ରଶ୍ନ କରିଛନ୍ତି। ତାଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ଅଭିଯୁକ୍ତଙ୍କ କାର୍ଯ୍ୟ ତାଙ୍କର ଚିନ୍ତାକୁ ପ୍ରତିଫଳିତ କରୁନଥିଲା। ସିଆ କହିଛନ୍ତି, ‘ଯଦି ଆପଣଙ୍କୁ ପ୍ରକୃତରେ ମୋ ପାଇଁ ଖରାପ ଲାଗିଥିଲା, ତେବେ ଆପଣ ଅଟକିଲେ ନାହିଁ କାହିଁକି। ଏହା ଆପଣଙ୍କ ଦାୟିତ୍ୱ ଥିଲା। ଯଦି ଆପଣ ମୋତେ ଧକ୍କା ଦେଇଥିଲେ, ତେବେ ଆପଣ ଅଟକି ମୁଁ ଆହତ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ଉଚିତ ଥିଲା। ସେ ଆହୁରି କହିଛନ୍ତି ଯେ ଦୁର୍ଘଟଣାର ପରିଣାମ ଆହୁରି ଭୟଙ୍କର ହୋଇପାରିଥାନ୍ତା। ମୋର ଆହୁରି ଗୁରୁତର ଆଘାତ ହୋଇପାରିଥାନ୍ତା। ମୋର ହାଡ଼ ଭାଙ୍ଗିପାରିଥାନ୍ତା। ମୁଁ ଘଟଣାସ୍ଥଳରେ ହିଁ ମରିଯାଇପାରିଥାନ୍ତି,” ବୋଲି ସିଆ କହିଛନ୍ତି। ସେ ଆହୁରି କହିଛନ୍ତି, ‘ଏପରି ସହାନୁଭୂତି ଦେଖାଇବା ତାଙ୍କୁ ଶୋଭା ଦେଉନାହିଁ। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ ସେମାନେ କିପରି ପଳାଇଥିଲେ। ଯାହାଙ୍କୁ ସେମାନେ ଧକ୍କା ଦେଇଥିଲେ, ସେ ଜୀବିତ କି ମୃତ—ତାହା ଯାଞ୍ଚ କରିବା ପାଇଁ ସେମାନେ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଅଟକିନଥିଲେ।




