ସୋନିଆଙ୍କୁ ନେହରୁଙ୍କ ଚିଠି ଫେରାଇବାକୁ କହିଲେ ସରକାର
ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସମ୍ପର୍କିତ ଦସ୍ତାବିଜ ପ୍ରାଇମ୍ ମିନିଷ୍ଟର୍ସ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରୀ (ପିଏମ୍ଏମ୍ଏଲ୍)ରୁ ହଜି ନାହିଁ ବୋଲି ବୁଧବାର କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ସରକାର କହିଛନ୍ତି, ୨୦୦୮ ଏପ୍ରିଲ ୨୯ରେ ଏକ ଚିଠିରେ ସୋନିଆ ଗାନ୍ଧୀଙ୍କ ପ୍ରତିନିଧି ଏମ୍ଭି ରାଜନ ଜବାହରଲାଲ ନେହରୁଙ୍କ ବ୍ୟକ୍ତିଗତ ପରିବାରିକ ଚିଠି ଫେରାଇ ନେବାକୁ ଅନୁମତି ମାଗିଥିଲେ। ଏହି ଅନୁରୋଧ ପରେ ୨୦୦୮ରେ ସୋନିଆ ଗାନ୍ଧୀଙ୍କୁ ନେହରୁଙ୍କ ବ୍ୟକ୍ତିଗତ କାଗଜପତ୍ର ୫୧ଟି କାର୍ଟୁନରେ ଭର୍ତ୍ତି କରି ଦିଆଯାଇଥିଲା। ସେବେଠାରୁ ପିଏମ୍ଏମ୍ଏଲ୍ ପକ୍ଷରୁ ବାରମ୍ବାର ଚିଠିଗୁଡ଼ିକୁ ଫେରାଇ ଦେବାକୁ ସୋନିଆ ଗାନ୍ଧୀଙ୍କ କାର୍ଯ୍ୟାଳୟକୁ ନିବେଦନ କରାଯାଉଥିଲେ ମଧ୍ୟ ସେଗୁଡ଼ିକୁ ଫେରାଯାଇନାହିଁ। ନେହରୁଙ୍କ ସମ୍ପର୍କିତ କାଗଜପତ୍ର ଭାରତର ଦସ୍ତାବିଜ ଐତିହ୍ୟ ହୋଇଥିବାରୁ ଏହାକୁ ବ୍ୟକ୍ତିଗତ ସମ୍ପତ୍ତି ଭାବେ ବ୍ୟବହାର କରାଯାଇପାରିବ ନାହିଁ। ପିଏମ୍ଏମ୍ଏଲ୍ରେ ଏହା ନାଗରିକଙ୍କ ସହିତ ବିଦ୍ବାନଙ୍କୁ ଐତିହାସିକ ଗବେଷଣାରେ ସାହାଯ୍ୟ କରିବ। କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ‘ଏକ୍ସ’ରେ ଲେଖିଛନ୍ତି, ସେହି ଚିଠିରେ କ’ଣ ଅଛି ତାହା ଦେଶବାସୀଙ୍କୁ ଜଣାଇବାକୁ ମୁଁ ସୋନିଆ ଗାନ୍ଧୀଙ୍କୁ କହିଥିଲି, କିନ୍ତୁ ସେ ଚିଠି ନ ଫେରାଇବାକୁ ଯେଉଁ ଆଳ ଦେଖାଇଥିଲେ ତାହା ଗ୍ରହଣୀୟ ନୁହେଁ। ଦେଶର ଗୁରୁତ୍ବପୂର୍ଣ୍ଣ ଐତିହାସିକ ଦଲିଲ ସଂଗ୍ରହାଳୟ ବାହାରେ କାହିଁକି ରହିବ? ତାହା ବ୍ୟକ୍ତିଗତ ଘରୋଇ କାଗଜପତ୍ର ନୁହେଁ ବୋଲି ସେ କହିଛନ୍ତି।




