ଖସିଲା ସୁନା-ରୁପା ଦର, ଉପରମୁହାଁ ହେଲା ସେନସେକ୍ସ - ନିଫ୍ଟି
ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ଆଜି ପୁଣି ଖସିଛି ସୁନା-ରୁପା ଦର । ଗୋଟିଏ ସପ୍ତାହ ମଧ୍ୟରେ ଲଗାତାର ତଳମୁହାଁ ହୋଇଛି ସୁନାଦର । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା ୨ ହଜାର ୯୪୦ ଟଙ୍କା ଖସିଥିବାବେଳେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପିଛା କମିଛି ୨୭୦୦ ଟଙ୍କା। ଏବେ ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ଦର ରହିଛି ୧ ଲକ୍ଷ ୨୮ ହଜାର ୬୫୦ ଟଙ୍କା। ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ୍ ପ୍ରତି ୧ଲକ୍ଷ ୪୦ ହଜାର ୩୫୦ ଟଙ୍କା ରହିଛି। ମଧ୍ୟପ୍ରାଚ୍ୟ ଯୁଦ୍ଧ ରେ ଡଲାର ମହଙ୍ଗା ହେବା କାରଣରୁ ନିବେଶକମାନେ ଏବେ ସୁନା ବଦଳରେ ଡଲାରରେ ନିବେଶ କରୁଛନ୍ତି।
ସେପଟେ ଇରାନ୍ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ୫ ଦିନିଆ ଯୁଦ୍ଧ ବିରତି ଘୋଷଣା ପରେ ଆଜି ପୁଣି ସେୟାର ବଜାରରେ ବଡ଼ ଉତ୍ସାହ ଦେଖାଦେଇଛି । ଉପରମୁହାଁ ହୋଇଛି ସେନସେକ୍ସ ଓ ନିଫ୍ଟି । ମୁମ୍ବାଇ ସୂଚକାଙ୍କ ସେନସେକ୍ସ ୧୫୦୦ ପଏଣ୍ଟ ବଢିଛି। ବଜାର ଖୋଲିବା ବେଳକୁ ୧୫୦୦ ପଏଣ୍ଟ ବୃଦ୍ଧି ସହ ସୂଚକାଙ୍କ ୭୪ ହଜାର ୨୧୨ରେ କାରବାର ଆରମ୍ଭ କରିଥିଲା। ଏହାଫଳରେ ପ୍ରାରମ୍ଭିକ କାରବାରରେ ନିବେଶକ ଙ୍କୁ ୫ ଲକ୍ଷ କୋଟି ଟଙ୍କା ଫାଇଦା ହୋଇଛି। ସେହିପରି ନିଫ୍ଟରେ ମଧ୍ୟ ୪୦୦ ପଏଣ୍ଟ ବୃଦ୍ଧି ଦେଖାଦେଇଛି। ୨୨ ହଜାର ୯ ପଏଣ୍ଟ ସହ କାରବାର ଆରମ୍ଭ କରିଛି ନିଫ୍ଟି। ଆଜି ବ୍ୟାଙ୍କିଙ୍ଗ୍ ଏବଂ ଅଟୋ ଷ୍ଟକ୍ ରେ ସର୍ବାଧିକ କିଣାବିକା ଦେଖାଯାଉଛି।



