’ଗ୍ଲୋବାଲ୍ ସାଉଥ୍‌କୁ ନିୟମ ନିର୍ଦ୍ଧାରଣକାରୀ ହେବାକୁ ପଡ଼ିବ, ନେତୃତ୍ୱ ନେବାକୁ ଭାରତ ପ୍ରସ୍ତୁତ’ : ବ୍ରିକ୍ସରେ ମୋଦୀ

’ଗ୍ଲୋବାଲ୍ ସାଉଥ୍‌କୁ ନିୟମ ନିର୍ଦ୍ଧାରଣକାରୀ ହେବାକୁ ପଡ଼ିବ, ନେତୃତ୍ୱ ନେବାକୁ ଭାରତ ପ୍ରସ୍ତୁତ’ : ବ୍ରିକ୍ସରେ ମୋଦୀ
Samaya Live Desk Picture
Published On
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ବିଶ୍ୱନେତାମାନଙ୍କ ଏକ ସମାବେଶକୁ ସମ୍ବୋଧନ କରି କହିଛନ୍ତି ଯେ ଗ୍ଲୋବାଲ୍ ସାଉଥ୍‌କୁ ମଧ୍ୟ ବିଶ୍ୱସ୍ତରୀୟ ନିଷ୍ପତ୍ତି ନେବାରେ ଭୂମିକା ନେବାକୁ ପଡ଼ିବ। ସେ ପ୍ରତ୍ୟେକ ସଦସ୍ୟ ଦେଶର ନିଜସ୍ୱ ମତ ରଖିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ନିଜ ଉଦ୍‌ଘାଟନୀ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଆଞ୍ଚଳିକ ଗୋଷ୍ଠୀର ପରବର୍ତ୍ତୀ ଶିଖର ସମ୍ମିଳନୀ ପୂର୍ବରୁ ଏକ ‘ବ୍ରିକ୍ସ ସଂସ୍କାର ରୋଡମ୍ୟାପ୍’ ପ୍ରସ୍ତୁତ କରିବା ପ୍ରସ୍ତାବ ଦେଇଥିଲେ। ସେ କହିଥିଲେ, ‘ଗ୍ଲୋବାଲ୍ ସାଉଥ୍ ବିଶ୍ୱ ସଂଗଠନଗୁଡ଼ିକରେ ଆଗ ଧାଡ଼ିରେ ବସିଛି, କିନ୍ତୁ ନିଷ୍ପତ୍ତି ନେବା କ୍ଷେତ୍ରରେ ଏବେ ବି ପଛ ଧାଡ଼ିରେ ରହିଛି। ଆମକୁ ଏହି ‘ସୁବିଧାର ପିରାମିଡ୍‌’କୁ ‘ସହଭାଗିତାର ମଞ୍ଚ’ରେ ପରିଣତ କରିବାକୁ ହେବ ଯେଉଁଠାରେ ପ୍ରତ୍ୟେକ ଦେଶର ନିଜର ମତ ରହିବ, ପ୍ରତ୍ୟେକ ସଦସ୍ୟର ଅଂଶୀଦାରିତ୍ୱ ରହିବ ଏବଂ ମାନବଜାତିର ଉନ୍ନତି ପ୍ରତ୍ୟେକ ପ୍ରୟାସର କେନ୍ଦ୍ରବିନ୍ଦୁ ହେବ। ବିଶ୍ୱ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ୧୦ଟି ପ୍ରସ୍ତାବ ପ୍ରସ୍ତୁତ କରାଯିବା ଉଚିତ ବୋଲି ସେ କହିଥିଲେ। ଏହା ମାଧ୍ୟମରେ ‘ବ୍ରିକ୍ସ ରିଫର୍ମ ରୋଡମ୍ୟାପ୍‌’ ବିକଶିତ କରାଯିବ। ଏହି ପ୍ରୟାସର ମୁଖ୍ୟ ତିନୋଟି ସ୍ତମ୍ଭ ହେବ- ପ୍ରତିନିଧିତ୍ୱ, ଦାୟିତ୍ୱଶୀଳତା ଏବଂ ନିୟମ ନିର୍ମାଣ। ପ୍ରତିନିଧିତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ, ‘ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ସଂସ୍କାର ଆଉ ବିଳମ୍ବ କରାଯାଇପାରିବ ନାହିଁ। ଏହି ବିଷୟରେ ପାଠ୍ୟଭିତ୍ତିକ ଆଲୋଚନାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଏବଂ ସ୍ପଷ୍ଟ, ଦୃଶ୍ୟମାନ ଫଳାଫଳ ସହ ଯୋଡ଼ିବା ଆବଶ୍ୟକ’। ସେ ଆହୁରି କହିଥିଲେ ଯେ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥାଗୁଡ଼ିକରେ ଭୋଟ ଦେବାର ଅଧିକାର, ନେତୃତ୍ୱ ପଦବୀ ଏବଂ ନୀତିଗତ ପ୍ରାଥମିକତା ବର୍ତ୍ତମାନର ଆର୍ଥିକ ବାସ୍ତବତା ସହ ସମନ୍ୱିତ ହେବା ଦରକାର। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ବ୍ରିକ୍ସ ଅଧ୍ୟକ୍ଷତା ଲୋକକେନ୍ଦ୍ରିକ ଏବଂ ମାନବତାକୁ ପ୍ରାଥମିକତା ଦେଉଥିବା ଆଭିମୁଖ୍ୟ ଉପରେ ଆଧାରିତ। ସେ କହିଥିଲେ ଯେ ସହନଶୀଳତା, ନବସୃଜନ, ସହଯୋଗ ଏବଂ ସ୍ଥାୟୀତ୍ୱ ବ୍ରିକ୍ସ ପ୍ରମୁଖ ପ୍ରାଥମିକତା ହୋଇ ରହିବ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଗତ ୨୦ ବର୍ଷରେ ବ୍ରିକ୍ସ ବିଶ୍ୱ ମଞ୍ଚରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏବେ ଏହା ପରିପକ୍ୱତା ଓ ଦାୟିତ୍ୱର ଏକ ନୂଆ ପର୍ଯ୍ୟାୟର ଆରମ୍ଭ ବୋଲି ସେ କହିଥିଲେ। ସଦସ୍ୟ ଦେଶଗୁଡ଼ିକ କାହା ବିରୋଧରେ ନୁହେଁ, ବରଂ ସହମତିର ଆଧାରରେ ଆଗକୁ ବଢ଼ିବେ ବୋଲି ସେ କହିଥିଲେ। ସେ କହିଥିଲେ, ‘ଆମେ ପରସ୍ପରର ଦୃଷ୍ଟିକୋଣକୁ ସମ୍ମାନ କରୁ ଏବଂ ସହମତି ମାଧ୍ୟମରେ ଆଗକୁ ବଢ଼ୁ। ଆମେ କାହା ବିରୋଧରେ ନୁହେଁ; ବରଂ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାର ଆଭିମୁଖ୍ୟ ରଖୁଛୁ। ଏବେ ସମୟ ଆସିଛି ବ୍ରିକ୍ସ ମଧ୍ୟରେ ଥିବା ଆମର ଏକତା ଓ ସହମତିକୁ ବିଶ୍ୱ ମଞ୍ଚରେ ଦୃଶ୍ୟମାନ ଫଳାଫଳରେ ପରିଣତ କରାଯାଉ।
Tags: