ଦୂରଦେଶର ଯୁଦ୍ଧର ପ୍ରଭାବ ସବୁଠୁ ଅଧିକ ଭୋଗୁଛି ଗ୍ଲୋବାଲ୍ ସାଉଥ୍‌: ବଙ୍ଗଳା ଦୁର୍ଭିକ୍ଷର ଉଦାହରଣ ଦେଇ ଜାତିସଂଘରେ ଚେତାଇଲା ଭାରତ

ଦୂରଦେଶର ଯୁଦ୍ଧର ପ୍ରଭାବ ସବୁଠୁ ଅଧିକ ଭୋଗୁଛି ଗ୍ଲୋବାଲ୍ ସାଉଥ୍‌: ବଙ୍ଗଳା ଦୁର୍ଭିକ୍ଷର ଉଦାହରଣ ଦେଇ ଜାତିସଂଘରେ ଚେତାଇଲା ଭାରତ
Samaya Live Desk Picture
Published On

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ଚାଲିଥିବା ଯୁଦ୍ଧର ପ୍ରଭାବ କେବଳ ଯୁଦ୍ଧ କରୁଥିବା ଦେଶଗୁଡ଼ିକ ମଧ୍ୟରେ ସୀମିତ ରହୁନାହିଁ। ଏହାର ଆର୍ଥିକ ଓ ମାନବୀୟ କ୍ଷତି ହଜାର ହଜାର କିଲୋମିଟର ଦୂରରେ ଥିବା ବିକାଶଶୀଳ ଦେଶଗୁଡ଼ିକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ବିଶେଷକରି ଗ୍ଲୋବାଲ୍ ସାଉଥ୍‌ର ଦେଶଗୁଡ଼ିକ ଖାଦ୍ୟ, ଇନ୍ଧନ ଓ ସାର ସଙ୍କଟର ସବୁଠୁ ଅଧିକ ସମ୍ମୁଖୀନ ହେଉଛନ୍ତି। ଜାତିସଂଘ ସୁରକ୍ଷା ପରିଷଦରେ ଏଭଳି ଚିନ୍ତା ପ୍ରକାଶ କରିବା ସହ ୧୯୪୩ ମସିହାର ବଙ୍ଗଳା ଦୁର୍ଭିକ୍ଷର ଉଦାହରଣ ଦେଇଛି ଭାରତ। ସୋମବାର ଜାତିସଂଘ ସୁରକ୍ଷା ପରିଷଦର ଏକ ଉଚ୍ଚସ୍ତରୀୟ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବତନେନି ଏହି ପ୍ରସଙ୍ଗ ଉଠାଇଥିଲେ। ଶକ୍ତି ଭିତ୍ତିଭୂମିର ସୁରକ୍ଷା ଏବଂ କୃଷ୍ଣସାଗର ଦେଇ ବିଶ୍ୱ ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ସମ୍ପର୍କିତ ଆଲୋଚନାରେ ସେ ଏହି ମତ ରଖିଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୩ ମସିହାରେ ଘଟିଥିବା ବଙ୍ଗଳା ଦୁର୍ଭିକ୍ଷର ଉଦାହରଣ ଦେଇ ଭାରତୀୟ ପ୍ରତିନିଧି କହିଥିଲେ ଯେ, ଯୁଦ୍ଧରେ ସିଧାସଳଖ ଭାବେ ସମ୍ପୃକ୍ତ ନଥିବା ଦେଶ ଓ ଲୋକମାନେ ମଧ୍ୟ ଏହାର ଭୟଙ୍କର ପରିଣାମ ଭୋଗିଥାନ୍ତି। ୧୯୪୩ ମସିହାର ବଙ୍ଗଳା ଦୁର୍ଭିକ୍ଷରେ ୩୦ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଯୁଦ୍ଧ ସମୟର ଅନିୟନ୍ତ୍ରିତ ନିଷ୍ପତ୍ତି ଓ ପ୍ରାଥମିକତା କିପରି ଦୂରଦୂରାନ୍ତରେ ଥିବା ସାଧାରଣ ଲୋକଙ୍କ ଜୀବନକୁ ଧ୍ୱଂସ କରିପାରେ, ଏହି ଦୁର୍ଭିକ୍ଷ ତାହାର ଏକ ଭୟଙ୍କର ଉଦାହରଣ ବୋଲି ସେ କହିଥିଲେ। ପର୍ବତନେନି କହିଥିଲେ, ଯୁଦ୍ଧ ଯୋଗୁ କୃଷି ଉତ୍ପାଦନ ବାଧାପ୍ରାପ୍ତ ହେଉଛି, ଲୋକମାନେ ବାସସ୍ଥାନ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଏବଂ ଭିତ୍ତିଭୂମି ନଷ୍ଟ ହେଉଛି। ଏହା ସହ ମାନବୀୟ ସହାୟତା ପହଞ୍ଚାଇବାରେ ମଧ୍ୟ ବାଧା ସୃଷ୍ଟି ହେଉଛି। ଯୁଦ୍ଧର ପ୍ରଭାବ ଶକ୍ତି, ସାର, ପରିବହନ ଏବଂ କୃଷି ବାଣିଜ୍ୟ ଉପରେ ପଡ଼ୁଛି। ଏହାର ପରିଣାମ ସ୍ୱରୂପ ବିକାଶଶୀଳ ଦେଶଗୁଡ଼ିକ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଯୁଦ୍ଧର ମୂଲ୍ୟ ସବୁ ଦେଶ ସମାନ ଭାବେ ବହନ କରୁନାହାନ୍ତି ବୋଲି ଭାରତ ସବୁବେଳେ କହିଆସିଛି ବୋଲି ସେ ଉଲ୍ଲେଖ କରିଥିଲେ। କୃଷ୍ଣ ସାଗର ଅଞ୍ଚଳ ଏବଂ ଭାରତ ମିଶି ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ ଶସ୍ୟ ଉତ୍ପାଦନ କରିଥାନ୍ତି। ସେହିପରି ରୁଷିଆ ଓ ୟୁକ୍ରେନ୍ ମିଶି ବିଶ୍ୱର ଗହମ, ମକା ଓ ବାର୍ଲି ରପ୍ତାନିର ପ୍ରାୟ ଏକ ଚତୁର୍ଥାଂଶ ଯୋଗାଇଥାନ୍ତି। ତେଣୁ ଏହି ଅଞ୍ଚଳରେ ଯୁଦ୍ଧ ଯୋଗୁଁ କୃଷି ଉତ୍ପାଦନ, ସାମୁଦ୍ରିକ ପରିବହନ ଏବଂ ଅନ୍ତର୍ଜାତୀୟ ବାଣିଜ୍ୟ ବାଧାପ୍ରାପ୍ତ ହେଲେ ଏହାର ପ୍ରଭାବ ସମଗ୍ର ବିଶ୍ୱର ଖାଦ୍ୟ ସୁରକ୍ଷା ଉପରେ ପଡ଼ିବ ବୋଲି ଭାରତ ଚେତାବନୀ ଦେଇଛି। କୃଷ୍ଣ ସାଗରରେ ବାଣିଜ୍ୟିକ ଜାହାଜ ଓ ନାବିକଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ମଧ୍ୟ ଭାରତ ଚିନ୍ତା ପ୍ରକାଶ କରିଛି। ଅନ୍ତର୍ଜାତୀୟ ଜଳପଥରେ ନିରାପଦ ଜାହାଜ ଚଳାଚଳ ସୁନିଶ୍ଚିତ କରିବା ସହ ବାଣିଜ୍ୟିକ ଜାହାଜ ଓ ନାବିକଙ୍କୁ ଟାର୍ଗେଟ୍ କରିବା ବନ୍ଦ କରିବାକୁ ଭାରତ ଦାବି କରିଛି।ଏହି ଅବସରରେ ଭାରତର ମାନବୀୟ ସହାୟତା କାର୍ଯ୍ୟକ୍ରମର ମଧ୍ୟ ଉଲ୍ଲେଖ କରାଯାଇଥିଲା। ଆଫଗାନିସ୍ତାନକୁ ଗହମ, ସୁଦାନକୁ ଚାଉଳ ଏବଂ ପାଲେଷ୍ଟାଇନକୁ ମାନବୀୟ ସହାୟତା ଯୋଗାଇ ଦେଇଥିବା କଥା ଭାରତୀୟ ପ୍ରତିନିଧି କହିଥିଲେ। ଜାତିସଂଘ ସୁରକ୍ଷା ପରିଷଦକୁ ମାନବୀୟ ସହାୟତା, ସାଧାରଣ ନାଗରିକଙ୍କ ଭିତ୍ତିଭୂମିର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଜଳପଥରେ ମୁକ୍ତ ନୌଚଳାଚଳକୁ ପ୍ରାଥମିକତା ଦେବାକୁ ଭାରତ ଆହ୍ୱାନ ଦେଇଛି। ଭାରତର ମତରେ, ବିଶ୍ୱରେ ଶାନ୍ତି କେବଳ ଏକ ଆଦର୍ଶ ନୁହେଁ, ବରଂ ସାଧାରଣ ଲୋକଙ୍କ ପେଟକୁ ଖାଦ୍ୟ ପହଞ୍ଚିବା, ଜାହାଜ ସୁରକ୍ଷିତ ଭାବେ ବନ୍ଦରରେ ପହଞ୍ଚିବା ଏବଂ ନାବିକମାନେ ସୁରକ୍ଷିତ ଭାବେ ଘରକୁ ଫେରିବା ସହ ଜଡ଼ିତ।

Tags: