ବାଲି ଉପରେ ବିରାଟକାୟ କୋଠା, ଭୁଶୁଡିବାକୁ ନାହିଁ ଡର

ବାଲି ଉପରେ ବିରାଟକାୟ କୋଠା, ଭୁଶୁଡିବାକୁ ନାହିଁ ଡର
Samaya Live News Picture
Published On

ମରୁଭୂମିର ବାଲି... ଚାରିଆଡ଼େ ଖାଲି ପଡ଼ିଆ ଆଉ ପ୍ରଚଣ୍ଡ ତାତି । ଏଭଳି ଏକ ସ୍ଥାନରେ କିଏ ବା ଭାବିଥିଲା ଯେ ଦିନେ ଆକାଶକୁ ଛୁଇଁବ ଏକ ବିଶାଳ ଅଟ୍ଟାଳିକା! ଯେଉଁଠି ସାଧାରଣ ଘର ନିର୍ମାଣ କରିବା ମଧ୍ୟ ଏକ ଚ୍ୟାଲେଞ୍ଜ, ସେଠାରେ କିପରି ନିର୍ମାଣ ହେଲା ୮୨୮ ମିଟର ଉଚ୍ଚତାର ବୁର୍ଜ ଖଲିଫା?

ଦୁବାଇର ଏହି ଆକାଶଛୁଆଁ ଅଟ୍ଟାଳିକା କେବଳ ଏକ କୋଠା ନୁହେଁ, ବରଂ ଆଧୁନିକ ବିଜ୍ଞାନ, ଇଞ୍ଜିନିୟରିଂ ଓ ମଣିଷର ଅସାଧାରଣ କଳ୍ପନାଶକ୍ତିର ଏକ ଜୀବନ୍ତ ଉଦାହରଣ।

BURJ KHALIFA

ସାଧାରଣତଃ ଆମେ ଭାବୁ, ଏତେ ବଡ଼ କୋଠା ନିର୍ମାଣ କରିବା ପାଇଁ ମଜଭୁତ ପଥରିଆ ଜମି ଆବଶ୍ୟକ। କିନ୍ତୁ ଦୁବାଇରେ ବୁର୍ଜ ଖଲିଫା ନିର୍ମାଣ ସମୟରେ ଇଞ୍ଜିନିୟରମାନଙ୍କ ସାମ୍ନାରେ ଥିଲା ଏକ ବଡ଼ ଚ୍ୟାଲେଞ୍ଜ। ମରୁଭୂମି ଅଞ୍ଚଳର ମାଟି ଓ ଭୂତଳର ଗଠନ ଏତେ ବିଶାଳ ଅଟ୍ଟାଳିକାର ଓଜନ କିପରି ସମ୍ଭାଳିବ?

ଏଥିପାଇଁ ଇଞ୍ଜିନିୟରମାନେ ଆପଣାଇଥିଲେ ଏକ ସ୍ୱତନ୍ତ୍ର ପଦ୍ଧତି। ପ୍ରଥମେ ମାଟି ତଳେ ଗଭୀର ଗର୍ତ୍ତ କରି ପ୍ରାୟ ୧.୫ ମିଟର ବ୍ୟାସ ଓ ୪୩ ମିଟର ଲମ୍ବର ଶକ୍ତିଶାଳୀ କଂକ୍ରିଟ୍ ପାଇଲ୍ ବା ସ୍ତମ୍ଭ ତିଆରି କରାଗଲା। ଏହି ପାଇଲ୍ଗୁଡ଼ିକ ମାଟି ତଳର ଦୃଢ଼ ସ୍ତରରୁ ଭାର ବହନ କରିବାରେ ସାହାଯ୍ୟ କରେ ।

ଏହା ଉପରେ ନିର୍ମାଣ ହେଲା ୩.୭ ମିଟର ମୋଟା ବିଶାଳ ରିଇନଫୋର୍ସଡ୍ କଂକ୍ରିଟ୍ ଫାଉଣ୍ଡେସନ୍। ଅର୍ଥାତ୍ ଉପରେ ଥିବା ହଜାର ହଜାର ଟନ୍ ଓଜନକୁ ଗୋଟିଏ ସ୍ଥାନରେ ନରଖି ଏହି ଭିତ୍ତିଭୂମି ମାଧ୍ୟମରେ ବଣ୍ଟନ କରାଗଲା । 

କେମିତି ଆକାଶକୁ ଛୁଇଁଲା ଏହି କୋଠା?

କେବଳ ମଜଭୁତ ଫାଉଣ୍ଡେସନ୍ ନୁହେଁ, ଏହାର ଡିଜାଇନ୍ ମଧ୍ୟ ଥିଲା ଅତ୍ୟନ୍ତ ସ୍ୱତନ୍ତ୍ର। ବୁର୍ଜ ଖଲିଫାର ଆକୃତିକୁ ଣ ଆକାରରେ ତିଆରି କରାଯାଇଥିଲା। ଏହି ଡିଜାଇନ୍ ପବନର ଚାପକୁ କମାଇବା ସହିତ କୋଠାକୁ ଅଧିକ ସ୍ଥିରତା ଦେଇଥାଏ । ଏତେ ଉଚ୍ଚତାରେ ପବନର ବେଗ ଓ ଚାପ ଏକ ବଡ଼ ସମସ୍ୟା। ତେଣୁ ନିର୍ମାଣ ପୂର୍ବରୁ ୪୦ରୁ ଅଧିକ ଥର ୱିଣ୍ଡ ଟନେଲ୍ ଟେଷ୍ଟ କରାଯାଇଥିଲା। ଏହାଦ୍ୱାରା ପବନର ପ୍ରଭାବକୁ ବୁଝି ଡିଜାଇନ୍ରେ ଆବଶ୍ୟକ ପରିବର୍ତ୍ତନ କରାଯାଇଥିଲା ବୁର୍ଜ ଖଲିଫା। 

ତାତିକୁ ହରାଇ ନିର୍ମାଣ ହେଲା ବୁର୍ଜ ଖଲିଫା!

ଦୁବାଇରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ବହୁତ ଅଧିକ ରହେ। ଏଭଳି ପରିସ୍ଥିତିରେ କଂକ୍ରିଟ୍ କାମ କରିବା ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଥିଲା। ତେଣୁ ବିଶେଷ କଂକ୍ରିଟ୍ ମିଶ୍ରଣ ଓ ତାପ ନିୟନ୍ତ୍ରଣ ପଦ୍ଧତି ବ୍ୟବହାର କରାଯାଇଥିଲା। ଅନେକ କଂକ୍ରିଟ୍ କାମ ରାତି ସମୟରେ କରାଯାଉଥିଲା।

ପ୍ରାୟ ୩ ଲକ୍ଷ ୩୦ ହଜାର ଘନମିଟର କଂକ୍ରିଟ୍ ଏବଂ ୩୯ ହଜାର ଟନ୍ ଷ୍ଟିଲ୍ ବ୍ୟବହାର କରି ଏହି ବିଶାଳ ଅଟ୍ଟାଳିକା ନିର୍ମାଣ କରାଯାଇଥିଲା
୨୦୦୪ ମସିହାରେ ଆରମ୍ଭ ହୋଇଥିବା ଏହି ନିର୍ମାଣ କାର୍ୟ୍ୟ ୨୦୧୦ ଜାନୁଆରୀ ୪ ତାରିଖରେ ଉଦ୍ଘାଟିତ ହୋଇଥିଲା। ୮୨୮ ମିଟର ଉଚ୍ଚତା ଓ ୧୬୩ଟି ଉପଯୋଗୀ ମହଲା ସହ ଏହା ଆଜି ବିଶ୍ୱର ସବୁଠାରୁ ଉଚ୍ଚ ଅଟ୍ଟାଳିକାର ମାନ୍ୟତା ବଜାୟ ରଖିଛି। 

ବୁର୍ଜ ଖଲିଫା ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ। କୌଣସି ନିର୍ମାଣର ଶକ୍ତି କେବଳ ତାହାର ଉଚ୍ଚତାରେ ନୁହେଁ, ବରଂ ତାହାର ମୂଳଦୁଆ କେତେ ମଜଭୁତ ତାହା ଉପରେ ନିର୍ଭର କରେ। ମରୁଭୂମିର ବାଲି ଉପରେ ବିଜ୍ଞାନର ଶକ୍ତିରେ ଠିଆ ହୋଇଥିବା ଏହି ଅଟ୍ଟାଳିକା ସାରା ବିଶ୍ୱକୁ ଦେଖାଇଦେଇଛି ଯେ ମଣିଷର କଳ୍ପନା ଓ ବିଜ୍ଞାନ ମିଶିଲେ ଅସମ୍ଭବ ମଧ୍ୟ ସମ୍ଭବ ହୋଇପାରେ।

Tags: