ଦେଶର ନୂଆ ସିଡିଏସ୍ ଜେନେରାଲ ସୁବ୍ରମଣି
ନୂଆଦିଲ୍ଲୀ: ଜେନେରାଲ୍ ଏନ୍ଏସ୍ ରାଜା ସୁବ୍ରମଣି ରବିବାର ଭାରତର ନୂତନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଡମିରାଲ କୃଷ୍ଣ ସ୍ୱାମୀନାଥନ ଭାରତର ନୂତନ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ କରିବା ପରେ ଜେନେରାଲ ସୁବ୍ରମଣି କହିଛନ୍ତି ଯେ, ସଶସ୍ତ୍ର ବାହିନୀର ରୂପାନ୍ତରକୁ ମଜବୁତ କରିବା ଏବଂ ତିନି ସେନାର ଏକୀକରଣ ଓ ସମନ୍ୱୟରେ ଉନ୍ନତି ଆଣିବା ପାଇଁ ସାଂଗଠନିକ ସଂସ୍କାର ତାଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ। ଏକ ଗଣମାଧ୍ୟମ ବିବୃତିରେ ସେ କହିଛନ୍ତି, ଆମେ ଆମର ସଶସ୍ତ୍ର ବାହିନୀରେ ସ୍ୱଦେଶୀ ଅସ୍ତ୍ରଶସ୍ତ୍ରର ବିକାଶ, ଅନ୍ତର୍ଭୁକ୍ତୀକରଣ ଓ ଏକୀକରଣକୁ ତ୍ୱରାନ୍ୱିତ କରିବୁ। ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ଆମର ସଶସ୍ତ୍ର ବାହିନୀ କ୍ରମାଗତ ଭାବରେ ବୃତ୍ତିଗତ ମନୋଭାବ ଓ କାର୍ଯ୍ୟକ୍ଷମ ନିର୍ଣ୍ଣାୟକତା ପ୍ରଦର୍ଶନ କରିଛନ୍ତି। ଆମେ ଆମ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତା ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ।
ଅନ୍ୟପକ୍ଷେ ନୌସେନା ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଆଡମିରାଲ ସ୍ୱାମୀନାଥନ ପଶ୍ଚିମ ନୌସେନା କମାଣ୍ଡର ଫ୍ଲାଗ ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ କାର୍ଯ୍ୟ କରୁଥିଲେ। ଆଡମିରାଲ୍ ସ୍ୱାମୀନାଥନ୍ ଗଣମାଧ୍ୟମକୁ କହିଛନ୍ତି, ଭାରତୀୟ ନୌସେନା ଜାତୀୟ ସ୍ୱାର୍ଥ ରକ୍ଷା ପାଇଁ ସଜାଗ ରହିଛି। ଭାରତୀୟ ନୌସେନା ସର୍ବୋଚ୍ଚ ସ୍ତରର ଅପରେସନାଲ ପ୍ରସ୍ତୁତି ବଜାୟ ରଖିବା ନିଶ୍ଚିତ କରିବା ମୋର ସର୍ବୋଚ୍ଚ ପ୍ରାଥମିକତା ହେବ।



