ଆଜିଠାରୁ ବିହାରରେ ସମ୍ରାଟ ସରକାର
ପାଟନା : ଆଜିଠୁ ବିହାରରେ ସମ୍ରାଟ ଶାସନ। ପ୍ରଥମ ନୂଆ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ସମ୍ରାଟ ଚୌଧୁରୀ । ପାଟନା ଲୋକଭାବନରେ ରାଜ୍ୟପାଳ ସୟଦ ଅତା ହସନୈନ ସମ୍ରାଟ ଚୌଧୁରୀ ଏବଂ ଦୁଇଜଣ ଉପମୁଖ୍ୟମନ୍ତ୍ରୀଙ୍କୁ ଶପଥ ପାଠ କରାଇଛନ୍ତି । ଏଥିସହ ଜେଡିୟୁ ବିଧାୟକ ବିଜୟ ଚୌଧୁରୀ ଏବଂ ବିଜେନ୍ଦ୍ର ଯାଦବ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । NDA ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସମ୍ରାଟ ଚୌଧୁରୀ ରାଜ୍ୟପାଳଙ୍କ ନିକଟରେ ସରକାର ଗଠନ ପାଇଁ ନିଜର ଦାବି ରଖିଥିଲେ । ଏହା ପୂର୍ବରୁ ନୀତିଶ କୁମାର ଇସ୍ତଫା ଦାଖଲ କରିଥିଲେ ।
ପାଟନା ଲୋକଭବନରେ ଅନୁଷ୍ଠିତ ହୋଇଥିବା ଶପଥଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ବିହାର ବିଜେପିର ବରିଷ୍ଠ ନେତା ଏବଂ ଏନଡିଏର ସମସ୍ତ ବରିଷ୍ଠ ନେତା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି।
୯ ବର୍ଷ ପୂର୍ବରୁ ବିଜେପିରେ ସାମିଲ ହୋଇଥିବା ସମ୍ରାଟ ଚୌଧୁରୀଙ୍କୁ ସ୍ପଷ୍ଟବାଦୀ ଏବଂ ଆକ୍ରମଣାତ୍ମକ ନେତା ଭାବରେ ବିବେଚନା କରାଯାଏ । ସମ୍ରାଟ ଏକଦା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଅନୁଗତ ଥିଲେ । ୨୦୧୭ରେ ସେ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ୨୦୧୭ରେ ବିଜେପିରେ ଯୋଗ ଦେବାର ମାତ୍ର ୯ବର୍ଷ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି । ୨୦୧୮ରେ ସେ ବିଜେପି ରାଜ୍ୟ ଉପସଭାପତି, ୨୦୨୩ରେ ରାଜ୍ୟ ସଭାପତି ହୋଇଥିଲେ। ଜେଡିୟୁ ସଭାପତି ନୀତୀଶ କୁମାର ଗତକାଲି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ ଇସ୍ତଫା ପରେ ଅନୁଷ୍ଠିତ ଏନ୍ଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୟନ କରାଯାଇଥିଲା।



