କାଶ୍ମୀରର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ତୁଷାରପାତ, ଗୁଲ୍‌ମାର୍ଗ-ସୋନମାର୍ଗ ବରଫରେ ଆଚ୍ଛାଦିତ

କାଶ୍ମୀରର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ତୁଷାରପାତ, ଗୁଲ୍‌ମାର୍ଗ-ସୋନମାର୍ଗ ବରଫରେ ଆଚ୍ଛାଦିତ
Samaya Live Desk Picture
Published On

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇଛି। ଉପତ୍ୟକାର ଅଧିକାଂଶ ଅଞ୍ଚଳରେ ରାତିସାରା ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିବାବେଳେ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ତୁଷାରପାତ ହୋଇଛି। ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଗୁଲମାର୍ଗ ଓ ସୋନମାର୍ଗ ମଧ୍ୟ ନୂଆ ବରଫ ଚାଦରରେ ଢାଙ୍କି ହୋଇଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରେଜ ଓ କୁପୱାଡ଼ାର ଉଚ୍ଚ ଅଞ୍ଚଳ ସମେତ ଦକ୍ଷିଣ କାଶ୍ମୀରର ସୋପିଆଁ ଜିଲ୍ଲାର ଜୋଜିଲା ପାସ୍‌ ଓ ମୋଗଲ ରୋଡ୍‌ରେ ମଧ୍ୟ ତୁଷାରପାତ ହୋଇଛି। ବରଫ ଜମିବା ଯୋଗୁଁ କେତେକ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଯାତାୟାତ ସ୍ୱାଭାବିକ କରିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରମୁଖ ରାସ୍ତାରୁ ବରଫ ହଟାଇବା କାର୍ଯ୍ୟ ଆରମ୍ଭ ହୋଇଛି। ଶ୍ରୀନଗର ସମେତ ଉପତ୍ୟକାର ସମତଳ ଅଞ୍ଚଳରେ ମଧ୍ୟ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ବର୍ଷା ଲାଗି ରହିଥିଲା। ପାଣିପାଗ ବିଭାଗ ଅନୁଯାୟୀ, ବାରାମୁଲାରେ ସର୍ବାଧିକ ୪୯.୫ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଗୁଲମାର୍ଗରେ ୪୦.୬ ମିଲିମିଟର ଏବଂ କୁପୱାଡ଼ାରେ ୩୭.୩ ମିଲିମିଟର ବର୍ଷା ହୋଇଛି। ବିଭାଗର ଆକଳନ ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ପାଣିପାଗରେ ଧୀରେ ଧୀରେ ସୁଧାର ଆସିବ। ତେବେ କେତେକ ସ୍ଥାନରେ ସ୍ୱଳ୍ପ ସମୟ ପାଇଁ ହାଲୁକା ବର୍ଷା ଏବଂ ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ହାଲୁକା ତୁଷାରପାତ ହୋଇପାରେ। ନଭେମ୍ବର ୧୫ରୁ ୨୧ ତାରିଖ ପର୍ଯ୍ୟନ୍ତ ପାଗ ସାଧାରଣତଃ ଶୁଖିଲା ରହିବାର ସମ୍ଭାବନା ରହିଛି।

Tags: