ଆସାମ-ଅରୁଣାଚଳ ସୀମାରେ ସଦ୍ୟ ସଂଘର୍ଷ
ଫାଙ୍କା ଗୁଳି ଚାଳନା କଲା ପୁଲିସ
ଗୌହାଟୀ : ଆସାମ-ଅରୁଣାଚଳ ପ୍ରଦେଶ ସୀମାରେ ଆଜି ପୁଣିଥରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଛି। ବୁଧବାର ଅନେକ ଛାତ୍ର ଏବଂ ସାମାଜିକ ସଂଗଠନ ଆସାମର ଜାଗୁନକୁ ଅରୁଣାଚଳ ପ୍ରଦେଶର ନାମଚିକ ଏବଂ ଜୟରାମପୁରକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ କରିଥିଲେ। ତେବେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବା ସମୟରେ ପରିସ୍ଥିତି ଅଣାୟତ ହୋଇପଡିଥିବାରୁ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଫାଙ୍କା ଗୁଳି ଚାଳନା କରିଥିଲା। ବୁଧବାର ସକାଳ ପ୍ରାୟ ୫ଟାରେ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଆନ୍ଦୋଳନକାରୀମାନେ ରାସ୍ତାରେ ଟାୟାର ଜାଳି ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ ଅବରୋଧ କରିଥିଲେ। ସଂଗଠନଗୁଡ଼ିକ କହିଛନ୍ତି ଯେ ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆନ୍ଦୋଳନରେ ତକାମ୍ ମିସିଂ ପୋରିନ୍ କେବାଙ୍ଗ୍ , ମିସିଂ ମିରି କୃଷକ ସଂଗ୍ରାମ ସମିତି, ଗୋର୍ଖା ଛାତ୍ର ସଂଘ ଏବଂ ଛାତ୍ର ମୁକ୍ତି ସଂଗ୍ରାମ ସମିତିର ସଦସ୍ୟମାନେ ଯୋଗ ଦେଇଥିଲେ। ଧେମାଜି ଜିଲ୍ଲାର ଗୋଗାମୁଖର ମିଙ୍ଗମା ବାଡାଟି ଗାଁରେ ଘଟିଥିବା ଗୁଳିକାଣ୍ଡ ଘଟଣାକୁ ନେଇ ଆନ୍ଦୋଳନକାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସଂଗଠନଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ଅରୁଣାଚଳ ପ୍ରଦେଶର କିଛି ସନ୍ଦିଗ୍ଧ ବ୍ୟକ୍ତି ଗାଁରେ ଅଚାନକ ଗୁଳିଚାଳନା କରିଥିଲେ। ଆନ୍ଦୋଳନକାରୀ ସଂଗଠନଗୁଡ଼ିକ ଏହି ଘଟଣାର ନିନ୍ଦା କରିଛନ୍ତି ଏବଂ ଅପରାଧୀଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।




