୬୧୧୭ ରେଳ ଷ୍ଟେସନରେ ମାଗଣା ୱାଇ-ଫାଇ ସେବା ଉପଲବ୍ଧ
ଭୁବନେଶ୍ୱର : ଭାରତୀୟ ରେଳପଥର ୬୧୧୭ ରେଳ ଷ୍ଟେସନରେ ମାଗଣା ୱାଇ-ଫାଇ ସେବା ଯୋଗାଇ ଦିଆଯାଇଛି। ରେଳ ଷ୍ଟେସନରେ ଏହି ସେବା ପାଇଁ ରେଳ ମନ୍ତ୍ରଣାଳୟ ଦ୍ୱାରା କୌଣସି ପୃଥକ୍ ପାଣ୍ଠି ମଞ୍ଜୁର କରାଯାଇନାହିଁ। ଓଟିପି ପାଇଁ ବ୍ୟବହୃତ ମୋବାଇଲ ନମ୍ୱର ବ୍ୟତୀତ ରେଳ ଷ୍ଟେସନରେ ପ୍ରଦାନ କରାଯାଇଥିବା ୱାଇ-ଫାଇ ସେବା ବ୍ୟବହାର କରିବା ପାଇଁ କୌଣସି ବ୍ୟକ୍ତିଗତ ସୂଚନା ମଗାଯାଇ ନାହିଁ। ସେହିପରି ଯଦି ଷ୍ଟେସନରେ ୱାଇ-ଫାଇ ସୁବିଧା କାର୍ଯ୍ୟ କରିବା ସମ୍ପର୍କରେ କୌଣସି ସମସ୍ୟା ଆସେ ତେବେ ରେଳ ପ୍ରଶାସନ ଦ୍ୱାରା ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ସୂଚନା ଦିଆଯାଇଛି । ଯାତ୍ରୀଙ୍କ ନିରାପଦ ଯାତ୍ରା ସୁନିଶ୍ଚିତ କରିବା ପାଇଁ ୧୭୩୧ ଷ୍ଟେଶନ ଏବଂ ୧୧,୯୫୩ କୋଚ୍ରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ଯୋଗାଇ ଦିଆଯାଇଛି। ନୂଆଦିଲ୍ଲୀ ରେଳ ଷ୍ଟେସନରେ ପ୍ରବେଶ/ପ୍ରସ୍ଥାନ ସ୍ଥାନ, ଫୁଟ୍ ଓଭର ବ୍ରିଜ୍, ପ୍ଲାଟ୍ଫର୍ମ ଇତ୍ୟାଦି ବାହ୍ୟ କ୍ଷେତ୍ର ଏବଂ ପ୍ରତୀକ୍ଷା ହଲ୍, ଟିକେଟ କାଉଣ୍ଟର ଇତ୍ୟାଦି ଭିତର କ୍ଷେତ୍ରକୁ କଭର କରିବା ପାଇଁ ପୂର୍ୱରୁ ସିସିଟିଭି ସ୍ଥାପନ କରାଯାଇଥିଲା।
ଚଳିତବର୍ଷ ଫେବୃଆରୀ ୧୫ ପରେ ନୂଆଦିଲ୍ଲୀ ଷ୍ଟେସନ ପରିସରରେ କିଛି ନୂତନ କ୍ଷେତ୍ର ବିକଶିତ ହୋଇଥିଲା ଏବଂ ତଦନୁସାରେ ଏହି କ୍ଷେତ୍ରଗୁଡ଼ିକୁ କଭରକରିବା ପାଇଁ ଅତିରିକ୍ତ ସିସିଟିଭି ଯୋଗାଇ ଦିଆଯାଇଛି। ବର୍ତ୍ତମାନ ନୂଆଦିଲ୍ଲୀ ରେଳ ଷ୍ଟେସନରେ ୨୫୦ ସିସିଟିଭି ଯୋଗାଇ ଦିଆଯାଇଛି।
ସେପଟେ ମୟୂରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ଼-କେନ୍ଦୁଝର, ଗୋରୁମହିଷାଣୀ-ବାଙ୍ଗିରିପୋଷୀ ଏବଂ ବୁଢ଼ାମରା-ଚାକୁଲିଆ ରେଳ ଲାଇନ ନିର୍ମାଣ ପାଇଁ ବର୍ତ୍ତମାନ ଜମି ଅଧିଗ୍ରହଣ ଓ ଜଙ୍ଗଲ ଅନୁମତି ପ୍ରକ୍ରିୟା ଜାରି ରହିଥିବା କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି । ରେଳ, ସୂଚନା ଓ ପ୍ରସାରଣ ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି।




