ବ୍ୟାରେଜ କୁ କାର ଖସି ପରିବାରର ୪ ମୃତ

ବ୍ୟାରେଜ କୁ କାର ଖସି ପରିବାରର ୪ ମୃତ
Samaya Live News Picture
Published On

ଛତିଶଗଡ଼ : ଦୀପାବଳି ଆଲୋକରେ ଆସିଲା ଅନ୍ଧାର । ନିମିଷକେ ଉଭେଇ ଗଲା ଦୀପାବଳି ଖୁସି । ଦୀପାବଳି ସାରି ନିଜ ଗାଁକୁ ଫେରୁଥିବା ସାମ୍ବାଦିକଙ୍କ ପରିବାରର ୪ ସଦସ୍ୟଙ୍କ ଜଳସମାଧି । ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ଚମ୍ପାରଣ ଥାନା ଅନ୍ତର୍ଗତ 'ତିଲା ଆନିକଟ୍' ବ୍ୟାରେଜ କୁ କାର ଖସି ସ୍ୱାମୀ ସ୍ତ୍ରୀଙ୍କ ସମେତ ୨ପିଲାଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଦୀପାବଳି ରାତିରେ ଦୁନିଆରୁ ଚାଲିଗଲା ସମ୍ପୂର୍ଣ୍ଣ ପରିବାର । ଏହି ଦୁଃଖଦ ଘଟଣାରେ ପରିବାର ସହିତ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି  । 

ସୂଚନାନୁସାରେ, ସ୍ଥାନୀୟ ପାସୌଦ ଗାଁର ସାମ୍ବାଦିକ ଶୀତଲ ସାହୁ ପରିବାରର ସଦସ୍ୟଙ୍କ ସହ ଦୀପାବଳି ଉତ୍ସବ ପାଳନ ସାରି ନିଜ ଗାଁକୁ ଫେରୁଥିଲେ। ସେହି ସମୟରେ ଗାଡ଼ିଟି ହଠାତ୍ ନିୟନ୍ତ୍ରଣ ହରାଇ ଗରିଆବନ୍ଦ ଜିଲ୍ଲା ଚମ୍ପାରଣ ଥାନା ଅନ୍ତର୍ଗତ 'ତିଲା ଆନିକଟ୍' ବ୍ୟାରେଜ ଭିତରକୁ ଖସିପଡ଼ିଥିଲା ଏବଂ କାର୍ ଭିତରେ ପାଣି ପଶିଯିବା ଯୋଗୁଁ ସମସ୍ତଙ୍କର ଶ୍ୱାସରୁଦ୍ଧ ହୋଇ ଜଳସମାଧି ଘଟିଥିଲା । ମୃତକମାନେ ହେଉଛନ୍ତି ଶୀତଲ ସାହୁ ,ପତ୍ନୀ ଭାରତୀ ସାହୁ, ୨୧ ବର୍ଷର ଝିଅ ଅପୂର୍ବା ସାହୁ ଏବଂ ୧୯ ବର୍ଷର ପୁଅ ବିକାଶ ସାହୁ ।

ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଚମ୍ପାରଣ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ କରିଥିଲା ଏବଂ ଗାଡ଼ି ଭିତରୁ ୪ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ପୋଲିସ ବର୍ତ୍ତମାନ ଏହି ଦୁର୍ଘଟଣାର ଅଧିକ ତଦନ୍ତ ଜାରି ରହିଛି । ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ “ମିଡିଆ ଏକ୍ଜିକ୍ୟୁଟିଭ୍”ର ଷ୍ଟିକର ଲାଗିଥିଲା । ଗାଡ଼ିଟି କିପରି ଭାବରେ ନିୟନ୍ତ୍ରଣ ହରାଇଲା, ସେ ନେଇ ପୋଲିସ  ତଦନ୍ତ ଜାରି ରଖିଛି ।

Tags: