ମା’ଙ୍କୁ ଚିକିତ୍ସା ପାଇଁ ନେବାବେଳେ ଗାଡ଼ିରେ ନିଆଁ ଲାଗି ୪ ମୃତ

ମା’ଙ୍କୁ ଚିକିତ୍ସା ପାଇଁ ନେବାବେଳେ ଗାଡ଼ିରେ ନିଆଁ ଲାଗି ୪ ମୃତ
Samaya Live News Picture
Published On

ଜୟପୁର: ମା'ଙ୍କୁ ଚିକିତ୍ସା ପାଇଁ ନେଇ ଯାଉଥିବା ବେଳେ କାର ରେ ନିଆଁ ଲାଗି ଜଳିଗଲେ ପରିବାର ସଦସ୍ୟ । ଏଭଳି ଏକ ଦାରୁଣ ଘଟଣା ଘଟିଛି ରାଜସ୍ଥାନର ଆଜମେର ଜିଲାର ବୋରାଡା ଶ୍ରୀରାମପୁରା ଗାଁରେ । ଅଗ୍ନିକାଣ୍ଡରେ ଜଣେ ପୂର୍ବତନ ସରପଞ୍ଚ, ତାଙ୍କ ପତ୍ନୀ ,ତାଙ୍କ ଭାଣିଜୀ ଏବଂ ଜଣେ ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ସମୁଦାୟ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

ଘଟଣା ଅନୁସାରେ, ଶ୍ରୀରାମପୁରା ଗ୍ରାମର ପୂର୍ବତନ ସରପଞ୍ଚ ରାମ ସିଂହ ଚୌଧୁରୀଙ୍କ ମା’ ପୁସି ଦେବୀଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ଆଜି ସକାଳ ସାଢେ ୫ଟାରେ ସେ ନିଜ ପରିବାର ସହ କାର ନେଇ ନିକଟସ୍ଥ ଡାକ୍ତରଖାନାକୁ ଯାଉଥିଲେ । ମାତ୍ର ଘର ଠାରୁ କିଛି ଦୂର ଯିବା ପରେ କାରରେ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଏତେ ଦ୍ରୁତ ଗତିରେ ବ୍ୟାପିଗଲା ଯେ ଯାତ୍ରୀମାନେ ବାହାରିବାର ସୁଯୋଗ ପାଇଲେ ନାହିଁ । କ୍ଷଣିକ ମଧ୍ୟରେ ଗାଡିଟି ସମ୍ପୂର୍ଣ୍ଣ ଭସ୍ମ ହୋଇଯାଇଥିଲା । କାରର ଦ୍ୱାର ଖୋଲି ନ ପାରିବାରୁ, ରାମ ସିଂହ ଚୌଧୁରୀ, ତାଙ୍କ ପତ୍ନୀ ସୂର୍ଯ୍ୟଜ୍ଞାନ ଦେବୀ ଏବଂ ତାଙ୍କ ଭାଣିଜୀ ମହିମା ଗାଡ଼ି ଭିତରେ ଫସି ରହି ଜଳିଯାଇଥିଲେ  ।

ସେପଟେ, ଅଗ୍ନିକାଣ୍ଡ ପରେ ସ୍ଥାନୀୟ ଲୋକମାନେ ରାମ ସିଂହଙ୍କ ମା’ ପୁସି ଦେବୀଙ୍କୁ କୌଣସି ପ୍ରକାରେ ଗାଡ଼ିରୁ ଟାଣି ବାହାରକୁ ବାହାର କରିଥିଲେ , କିନ୍ତୁ ସେତେବେଳକୁ ତାଙ୍କ ଶରୀରର ୬୦ ପ୍ରତିଶତରୁ ଅଧିକ ପୋଡ଼ି ଯାଇଥିଲା ଏବଂ ପରବର୍ତ୍ତୀ ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣା ଖବର ଶୁଣି ଶ୍ରୀରାମପୁରା ଏବଂ ଆଖପାଖ ଅଞ୍ଚଳ ବାସିନ୍ଦା ସ୍ତବ୍ଧ ହୋଇଯାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନାହିଁ । ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।

 

Tags: