ଉତ୍ତରାଖଣ୍ଡରେ ଗଭୀର ଖାଇକୁ କାର୍ ଖସି ୪ ମୃତ
ଡେରାଡୁନ : ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଗୁରୁବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଦେୱାଲ-ଘେସ୍ ମୋଟର ରାସ୍ତାର କୁନାର ବେଣ୍ଡ୍ ନିକଟରେ ଏକ ବୋଲେରୋ ଟ୍ୟାକ୍ସି ନିୟନ୍ତ୍ରଣ ଏକ ଗଭୀର ଖାଇକୁ ଖସିପଡ଼ିବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନଙ୍କ ମଧ୍ୟରେ ଦୁଇଜଣ ମହିଳା ଥିବା ଜଣାପଡ଼ିଛି ଏବଂ ସମସ୍ତ ମୃତ ଓ ଆହତ ବ୍ୟକ୍ତି ଖେତା ଗ୍ରାମର ବାସିନ୍ଦା ବୋଲି ଚିହ୍ନଟ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବୋଲେରୋଟି ଦେୱାଲରୁ ଯାତ୍ରୀମାନଙ୍କୁ ନେଇ ଘେସ୍ ଅଭିମୁଖେ ଯାଉଥିଲା। ପାହାଡ଼ିଆ ଓ ଅଙ୍କା ବଙ୍କା ରାସ୍ତାରେ ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଗାଡ଼ି ଭିତରେ ଚାପି ହୋଇ ରହିଥିବା ସମସ୍ତ ୮ ଜଣଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଦେୱାଲ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି। ସେଠାରେ ଡାକ୍ତର ୪ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଆହତମାନଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ୧୮ ମାସର ଶିଶୁ କନ୍ୟା ମଧ୍ୟ ଅଛି ଏବଂ ଜଣଙ୍କର ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଚାମୋଲି ଜିଲ୍ଲାପାଳ ଗୌରବ କୁମାର ଉକ୍ତ ଘଟଣାର ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଏହି ଘଟଣାର ମାତ୍ର ୨୪ ଘଣ୍ଟା ପୂର୍ବରୁ ମସୁରୀରେ ମଧ୍ୟ ଏକ କାର୍ ଖାଇକୁ ଖସିପଡ଼ିବା ଯୋଗୁ ୪ ଜଣ ପ୍ରାଣ ହରାଇଥିଲେ।



